ଅନ୍ୟ ମୁଖ୍ୟମନ୍ତ୍ରୀ ୨୦ ମିନିଟ କହିଲେ, ହେଲେ ମୋତେ କେବଳ ୫ ମିନିଟ ସମୟ ଦିଆଗଲା, ମୋ ମାଇକ ବନ୍ଦ କରିଦେଲେ : ମମତା ବାନାର୍ଜୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ଗଭର୍ଣ୍ଣିଂ କାଉନସିଲର ୯ମ ବୈଠକ ଚାଲିଛି । ବୈଠକରେ ସାମିଲ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧାରୁ ଉଠିଆସିଲେ । ତାଙ୍କୁ କହିବାକୁ ସୁଯୋଗ ମିଳିନଥିବା ଅଭିଯୋଗ କରି ସେ ବୈଠକ ଅଧାରୁ ଉଠି ଆସିଛନ୍ତି । ଅନ୍ୟମାନେ ୧୦ ରୁ ୨୦ ମିନିଟ୍ କହିଲେ । କିନ୍ତୁ ତାଙ୍କୁ ମାତ୍ର ୫ ମିନିଟ୍ କହିବା ପାଇଁ ସୁଯୋଗ ଦିଆଗଲା । ତାଙ୍କ ମାଇକ୍ ବନ୍ଦ କରି ଦିଆଗଲା ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ।
ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ହୋଇଥିବା ବୈଠକରେ ମମତା କହିଛନ୍ତି, ମୁଁ ବୈଠକକୁ ବହିଷ୍କାର କରୁଛି । ଚନ୍ଦ୍ରବାବୁ ନାଇଡୁଙ୍କୁ କହିବା ପାଇଁ ୨୦ ମିନିଟ ଦିଆଗଲା । ଆସାମ, ଗୋଆ, ଛତିଶଗଡ ମୁଖ୍ୟମନ୍ତ୍ରୀ ୧୦ରୁ୧୨ ମିନିଟ ପର୍ଯ୍ୟନ୍ତ କହିଲେ । କିନ୍ତୁ ମୋତେ କେବଳ ୫ ମିନିଟ କହିବାକୁ ସୁଯୋଗ ଦିଆଯାଇଥିଲା । ରାଜ୍ୟ ରାଜ୍ୟ ମଧ୍ୟରେ କାହିଁକି ଭେଦଭାବ ବୋଲି ବୈଠକରେ ପଚାରିଥିଲେ ମମତା ବାନାର୍ଜୀ । ମୁଁ ସେଣ୍ଟ୍ରାଲ ଫଣ୍ଡ ବିଷୟରେ କହିବା ବେଳେ ମୋ ମାଇକ ବନ୍ଦ କରାଯାଇଥିଲା । ତାଙ୍କୁ କହିବାକୁ ସୁଯୋଗ ନମିଳିବା ପଶ୍ଚିମବଙ୍ଗ ପ୍ରତି ଏବଂ ଏକ ଆଞ୍ଚଳିକ ଦଳ ପ୍ରତି ଅପମାନ ବୋଲି ଦିଦି କହିଛନ୍ତି। ନିତି ଆୟୋଗ ବୈଠକରେ ସେ ଏକମାତ୍ର ବିରୋଧୀ ଦଳ ନେତା ଭାବେ ଯୋଗ ଦେଇଥିଲେ ।
କେବଳ ମମତା ନୁହେଁ, ଇଣ୍ଡିଆ ମେଣ୍ଟର ଅନେକ ମୁଖ୍ୟମନ୍ତ୍ରୀ ବୈଠକକୁ ବହିଷ୍କାର କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈ, ହିମାଚଳ ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି ।