ହ୍ଵିଲ୍‌ଚେୟାରରୁ ଉଠି ଛିଡ଼ା ହେଲେ ମମତା ବାନାର୍ଜୀ, ଲୋକଙ୍କ ସହିତ ମିଶି ଗାଇଲେ ଜାତୀୟ ସଙ୍ଗୀତ

ପଶ୍ଚିମବଙ୍ଗ ନନ୍ଦୀଗ୍ରାମରେ ୧୦ ମାର୍ଚ୍ଚରେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଯାହାଫଳରେ କି ତାଙ୍କୁ ହ୍ଵିଲ୍‌ଚେୟାର ଉପରେ ବସି ପ୍ରଚାର କରିବାକୁ ପଡ଼ିଥିଲା। ଯଦିଓ ଏବେ ସୁଦ୍ଧା ସେ ସୁସ୍ଥ ହୋଇନାହାନ୍ତି, କିନ୍ତୁ ମମତାଙ୍କୁ ଏକ ନିର୍ବାଚନୀ ସଭାରେ ନିଜ ଗୋଡ଼ରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି। ନନ୍ଦୀଗ୍ରାମରେ ନିର୍ବାଚନ ପ୍ରଚାର ଥମିବାର କିଛି ସମୟ ପୂର୍ବେ ମମତା ହ୍ଵିଲଚେୟାରରୁ ଉଠି ଛିଡ଼ା ହୋଇଥିଲେ ଏବଂ ଜାତୀୟ ସଙ୍ଗୀତ ଗାଇଥିଲେ।

କହି ରଖୁଛୁ, ପଶ୍ଚିମବଙ୍ଗ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ଏପ୍ରିଲ ୧ରୁ ଆରମ୍ଭ ହେବ। ଭୋଟିଂ ପୂର୍ବରୁ ପ୍ରଚାର ଯେତେବେଳେ ସରିବାକୁ ଥିଲା, ସେହି ସମୟରେ ମମତା ନିଜର ସହଯୋଗୀ ଡୋଲା ସେନା ଓ ସୁବ୍ରତ ବଖଶୀଙ୍କୁ ନିଜ ପାଖକୁ ଡାକିଥିଲେ। ଏହାପରେ ଦୁଇଜଣଙ୍କ ସାହାରାରେ ସେ ଛିଡ଼ା ହୋଇଥିଲେ। ଯଦିଓ ମମତା ଗୋଡ଼ରେ ଛିଡ଼ା ହେବା ପାଇଁ ସାମାନ୍ୟ ଅସହଜ ଅନୁଭବ କରିଥିଲେ। ତେବେ ଏହାରି ଭିତରେ ସେ ଜାତୀୟ ସଙ୍ଗୀତ ଗାଇଥିଲେ ଏବଂ ଲୋକଙ୍କ ସାଥ୍‌ ଦେଇଥିଲେ। ଜାତୀୟ ସଙ୍ଗୀତ ସମାପ୍ତ ହେବା ପରେ ମମତା ପୁଣି ହ୍ଵିଲଚେୟାରରେ ବସିଥିଲେ।

ସୂଚନାଥାଉ କି, ୧୦ ମାର୍ଚ୍ଚରେ ନନ୍ଦୀଗ୍ରାମର ବିରୁଲିଆ ଗାଁରେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ମମତା ବାନାର୍ଜୀ ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ କୋଲକାତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଗୋଡ଼ ପ୍ଲାଷ୍ଟର ହୋଇଥିଲା। ଏହାପରଠୁ ସମସ୍ତ ନିର୍ବାଚନ ପ୍ରଚାରରେ ମମତାଙ୍କୁ ହ୍ଵିଲ୍‌ଚେୟାରରେ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.