‘ଦୁଷ୍କର୍ମକାରୀଙ୍କୁ ୧୦ ଦିନ ମଧ୍ୟରେ ଫାଶୀଦଣ୍ଡ’, ମମତା ବାନାର୍ଜୀ ବିଧାନସଭାରେ ଉପସ୍ଥାପନ କରିବେ ବିଲ୍

କୋଲକାତା ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏପରି ଜଘନ୍ୟ ଘଟଣାକୁ ରୋକିବା ପାଇଁ କଠୋର ଆଇନ ଆଣିବାକୁ ଦାବି ହେଉଛି ।

ସେପଟେ ସୋମବାରଠାରୁ ପଶ୍ଚିମବଙ୍ଗ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଏହି ଅଧିବେଶନ ସମୟରେ ଏକ ବିଲ୍ ଉପସ୍ଥାପନ କରାଯିବ, ଯେଉଁଥିରେ ଦୁଷ୍କର୍ମକାରୀଙ୍କୁ ୧୦ ଦିନ ମଧ୍ୟରେ ଫାଶୀଦଣ୍ଡ ସୁନିଶ୍ଚିତ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ସୂଚନା ଅନୁସାରେ, ସ୍ୱତନ୍ତ୍ର ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଥିବା ବେଳେ ପ୍ରସ୍ତାବିତ ବିଲ୍ ମଙ୍ଗଳବାର ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି । ବିଧାନସଭାରେ ମମତାଙ୍କ ଏହି ପଦକ୍ଷେପକୁ ମୁଖ୍ୟ ବିରୋଧୀ ଦଳ ବିଜେପି ସମର୍ଥନ କରିବ । ଦୁଷ୍କର୍ମ ବିରୋଧରେ ପଶ୍ଚିମବଙ୍ଗ ସରକାରଙ୍କ ବିଲକୁ ଦଳ ସମର୍ଥନ କରିବ ବୋଲି ବିଜେପି କହିଛି ।

ବିଧାନସଭାରେ ଉପସ୍ଥାପନ ହେବାକୁ ଥିବା ଆଣ୍ଟି-ରେପ୍‌ ବିଲକୁ ଭାରତୀୟ ଜନତା ପାର୍ଟି ସମର୍ଥନ ଜଣାଇବ । ଦଳୀୟ ନେତା ସୁକାନ୍ତ ମଜୁମଦାର କହିଛନ୍ତି ଯେ ଆମେ ମମତା ବାନାର୍ଜୀଙ୍କ ଏହି ବିଲକୁ ସମର୍ଥନ କରିବୁ ବୋଲି ନିଷ୍ପତ୍ତି ନେଇଛୁ । ତେବେ ତାଙ୍କ ଇସ୍ତଫା ଦାବି ନେଇ ମଧ୍ୟ ବିଧାନସଭା ଭିତରେ ପ୍ରଦର୍ଶନ ଜାରି ରଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.