‘ଆପଣଙ୍କ ଉତ୍ତର ମିଳିଲା ନାହିଁ…’, କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଣି ପିଏମ୍ ମୋଦିଙ୍କୁ ଚିଠି ଲେଖିଲେ ମମତା ବାନାର୍ଜୀ
ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପଶ୍ଚିମବଙ୍ଗ ସମେତ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ସିଏମ୍ ମମତା ଦ୍ୱିତୀୟ ଥର ପାଇଁ ମୋଦିଙ୍କୁ ଚିଠି ଲେଖିଛନ୍ତି । ଏଥିରେ ସେ ଦୁଷ୍କର୍ମକୁ ନେଇ ଅଧିକ କଠୋର ଆଇନ ଆଣିବାକୁ ନିବେଦନ କରିଛନ୍ତି ।
ମମତା ବାନାର୍ଜୀ ଚିଠିରେ ଲେଖିଛନ୍ତି ଯେ ‘ଆପଣଙ୍କୁ ଅଗଷ୍ଟ ୨୨ରେ ଲେଖିଥିବା ଚିଠି ମନେ ଥିବ, ଯେଉଁଥିରେ କ୍ରମାଗତ ବଢ଼ିଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ କଠୋର ଆଇନ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । କିନ୍ତୁ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆପଣଙ୍କ ତରଫରୁ କୌଣସି ଉତ୍ତର ମିଳିନାହିଁ । ଯଦିଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଏକ ଉତ୍ତର ନିଶ୍ଚୟ ମିଳିଛି । କିନ୍ତୁ ମାମଲାର ଗମ୍ଭୀରତାକୁ ଦେଖିଲେ ଏହା ପର୍ଯ୍ୟାପ୍ତ ନୁହେଁ । ମୁଁ ଅନୁଭବ କରୁଛି, ଏହି ମାମଲାର ଗମ୍ଭୀରତା ଆଡ଼କୁ ପର୍ଯ୍ୟାପ୍ତ ଧ୍ୟାନ ଦିଆଯାଇ ନାହିଁ’ ।
ସେ ଚିଠିରେ ଆହୁରି କହିଛନ୍ତି କି, ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଦୁଷ୍କର୍ମ ଦୂର ପାଇଁ କଡ଼ା ଆଇନ ପ୍ରଣୟନ କରିବା ଏବଂ ଏଭଳି ଜଘନ୍ୟ ଅପରାଧ ଘଟାଉଥିବା ବ୍ୟକ୍ତିଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯାଉ । ଏହା ସହିତ ଏହି ପ୍ରକାର ମାମଲାର ଶୀଘ୍ର ସମାଧାନ ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ । ମୁଁ ଆଶା କରୁଛି, ଏହି ମାମଲା ଉପରେ ଆପଣଙ୍କ ତରଫରୁ ଦୃଷ୍ଟି ଦିଆଯିବ’ ।