ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଆକ୍ରମଣ ଘଟଣା, ୩ ଦିନ ପରେ ଥାନେରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ସୈଫ ଅଲ୍ଲୀ ଖାନଙ୍କ ଆକ୍ରମଣକାରୀ ଗିରଫ । ମହାରାଷ୍ଟ୍ର ଥାନେରୁ ଗିରଫ କଲା ମୁମ୍ବାଇ ପୋଲିସ । ଆଜି ଭୋରୁ ଭୋରୁ ତାକୁ ଗିରଫ କରିଛି ମୁମ୍ବାଇ ପୋଲିସ । ଆକ୍ରମଣକାରୀର ନାଁ ମହମ୍ମଦ ଇଲିଆସ ଓରଫ ବିଜୟ ଦାସ । ସୈଫଙ୍କ ଘରେ ପଶି ସେ ଛୁରି ଭୁସିଥିବା ସ୍ବୀକାର କରିଛି । ସେ ମୁମ୍ବାଇର ଏକ ପବ୍ ରେ କାମ କରୁଥିବାର ଜଣାପଡିଛି । ଥାନେ ହିରାନନ୍ଦାନି ଇଷ୍ଟେଟ୍ ମେଟ୍ରୋ କନଷ୍ଟକସନ୍ ସାଇଟରୁ ଏକ ଲେବର କ୍ୟାମ୍ପରୁ ତାକୁ ଗିରଫ କରାଯାଇଛି ।
ଏପରିକି ସେ ଅନେକ ଥର ତାର ନାଁ ବଦଳାଇଥିବା ଜଣାପଡ଼ିଛି । ଆକ୍ରମଣକାରୀର ଆଉ ଏକ ନାଁ ବିଜୟ ଦାସ ବୋଲି କୁହାଯାଉଛି । ଅଭିଯୁକ୍ତର ଘର ପଶ୍ଚିମବଙ୍ଗରେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ଗିରଫ ପରେ ତାକୁ ବାନ୍ଦ୍ରାକୁ ଅଣାଯାଇଛି । ଆଜି ସେଠାରେ ତାକୁ ପଚରାଉଚରା କରିବ ମୁମ୍ବାଇ ପୋଲିସ । ଅଭିଯୁକ୍ତ ସଂପର୍କରେ ଆଜି ସକାଳ ୯ଟାରେ ସମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇପାରେ ପୋଲିସ । ସୈଫଙ୍କ ଘରେ ପଶି ତାଙ୍କୁ ୬ ଥର ଛୁରୀ ଭୁସିଥିଲା ଅଭିଯୁକ୍ତ। ଆକ୍ରମଣର ୩ ଦିନ ପରେ ତାକୁ ଗିରଫ କରାଯାଇଛି।
ସୂଚନା ଅନୁସାରେ ୧୫ତାରିଖ ମଧ୍ୟରାତିରେ ସୈଫ ଅଲ୍ଲୀ ଖାନଙ୍କ ବାନ୍ଦ୍ରା ବାସଭବନ ୧୧ ମହଲାରେ ତାଙ୍କ ଉପରେ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ । ଆକ୍ରମଣ ପରେ ସୈଫଙ୍କୁ ତାଙ୍କ ଡ୍ରାଇଭର ଏବଂ ସିକ୍ୟୁରିଟି ଗାର୍ଡ ପୁଅ ତୈମୁର ସହିତ ଅଟୋରେ ହସପିଟାଲ ନେଇ ଯାଇଥିଲେ । ରକ୍ତରେ ଜୁଡୁବୁଡୁ ହୋଇଥିବା ସୈଫ ୮ ବର୍ଷର ପୁଅ ତୈମୁର ସହିତ ହସପିଟାଲରେ ପହଞ୍ଚିଥିଲେ ବୋଲି ଲୀଲାବତୀ ହସପିଟାଲର ଡାକ୍ତର କହିଛନ୍ତି । ଆକ୍ରମଣକାରୀ ରାତି ୧ଟା ୩୭ରେ ସୈଫଙ୍କ ଘରେ ପ୍ରବେଶ କରିଥିବା ବେଳେ ୨ଟା ୩୩ରେ ବାହାରିଥିଲା । ଛୁରାମାଡ଼ କରି ଦୁର୍ବୃତ୍ତ ଫାଷ୍ଟ ଲୋକାଲରେ ବିରାର, ବସଇ କିମ୍ବା ନାଲାସୋପାରା ଚାଲିଯାଇଥିବା ସନ୍ଦେହ କରି ତଦନ୍ତ ଚଳାଇଛି ପୋଲିସ । ସେପଟେ ସାମାନ୍ୟ ସୁସ୍ଥ ହେବା ପରେ ସୈଫଙ୍କୁ ଲୀଳାବତୀ ହସପିଟାଲର ଆଇସିୟୁରୁ ବାହାର କରାଯାଇ ସ୍ବତନ୍ତ୍ର କ୍ୟାବିନରେ ରଖାଯାଇଛି । ସଂପୂର୍ଣ୍ଣ ବେଡ ରେଷ୍ଟ ସହ ଏକ ସପ୍ତାହ ପାଇଁ ଚଳପ୍ରଚଳ ନକରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି ।
Also Read: ସୈଫଙ୍କ ମେରୁଦଣ୍ଡରୁ ଅଢେଇ ଇଞ୍ଚର ଛୁରି ଖଣ୍ଡ ବାହାର କଲେ ଡାକ୍ତର, ଆଇସିୟୁରୁ ବାହାରିଲେ ଅଭିନେତା