ପ୍ରେମିକାର ନିର୍ବନ୍ଧ ହୋଇଯିବାରୁ ହତାଶ ପ୍ରେମିକ ୬ ସାଙ୍ଗଙ୍କ ସହ ମିଶି ବର ଉପରକୁ ଫିଙ୍ଗିଲା ଏସିଡ୍; ହସ୍ପିଟାଲରେ ପୀଡ଼ିତ ଭର୍ତ୍ତି
ପ୍ରେମିକାର ଅନ୍ୟତ୍ର ନିର୍ବନ୍ଧ ହେବାରୁ ପ୍ରେମିକ ରଚିଲା ଷଡ଼ଯନ୍ତ୍ର। ଆଉ ୬ ସାଙ୍ଗଙ୍କ ସହ ମିଶି ପ୍ରେମିକାର ଭାବି ସ୍ୱାମୀ ଉପରକୁ କଲା ଏସିଡ୍ ମାଡ଼। ଏବେ ହସ୍ପିଟାଲରେ ସଂଘର୍ଷ କରୁଛନ୍ତି ପୀଡ଼ିତ। ଘଟଣା ଘଟିଛି ଉତ୍ତର ପ୍ରଦେଶରେ।
ଉତ୍ତର ପ୍ରଦେଶର ସହାରନ୍ପୁରରୁ ଏସିଡ୍ ଆକ୍ରମଣର ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ମୁହଁକୁ ଏସିଡ୍ ମାଡ଼ ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଯାଉଥିବା ଜଣେ ବ୍ୟକ୍ତିଙ୍କ ଉପରେ ଏହି ଏସିଡ୍ ଆକ୍ରମଣ କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଏକ କାର୍, ଏକ ବାଇକ୍ ଏବଂ ଏସିଡ୍ର ଖାଲି ବୋତଲ ଜବତ କରିଛି।
ସୂଚନା ମୁତାବକ, ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଜଣେ ଟ୍ୟାକ୍ସି ଚାଳକ। ସେ ଗତ ସୋମବାର ଶୁଭମ୍ ନାମକ ବ୍ୟକ୍ତିଙ୍କୁ ନିକଟସ୍ଥ ଏକ ବସ୍ଷ୍ଟାଣ୍ଡକୁ ଡାକିଥିଲେ ଏବଂ ସେଠାରେ ସେ ତାଙ୍କୁ ଏସିଡ୍ ମାଡ଼ କରିଥିଲେ। ଘଟଣା ବିଷୟରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପୀଡ଼ିତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ମଙ୍ଗଳବାର ରାତିରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ହେଲେ, ମୁଜଫରନଗରର ଉଦୟ ଓରଫ୍ ଭୋଲା।
ପୋଲିସ ମୁତାବକ, ଗତ ୬ ମାସ ଧରି ଉଦୟଙ୍କର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ବନ୍ଧ ଥିଲା। କିନ୍ତୁ ଯୁବତୀ ନିକଟରେ ଅନ୍ୟ ଜଣଙ୍କ ସହିତ ନିର୍ବନ୍ଧ କରିନେଇଥିଲେ। ଅଧିକାରୀ କହିଛନ୍ତି ଯେ ଉଦୟ ନିଜର ସାଙ୍ଗମାନଙ୍କ ସହିତ ମିଶି ପୀଡ଼ିତ ଶୁଭମ୍ଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲେ। ଏହାପରେ ସୁଯୋଗ ଉଣ୍ଡି ସେମାନେ ଶୁଭମ୍ଙ୍କୁ ଏକ ବସ୍ଷ୍ଟାଣ୍ଡକୁ ଡାକିଥିଲେ ଏବଂ ସେଠାରେ ଏସିଡ୍ ମାଡ଼ କରିଥିଲେ। ପୋଲିସର କହିବା ଅନୁସାରେ, ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଅଛନ୍ତି।