କାନାଡାରେ ସିଙ୍ଗରଙ୍କ ଘରେ ଫାୟାରିଂ ମାମଲାରେ ଜଣେ ଗିରଫ, ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କାନାଡାରେ ସିଙ୍ଗର ଏପି ଢିଲୋନଙ୍କ ଘରେ ଫାୟାରିଂ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଗୁଳିକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋସିଆଲ ମିଡିଆରେ ନିଜକୁ ଦାୟୀ କରିଥିଲା । ଏପି ଢିଲୋନଙ୍କ ଘର କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଭାନକୁଭରରେ ।

ଅକ୍ଟୋବର ୩୦ରେ କାନାଡା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେ ହେଲେ ମାନିଟୋବା ପ୍ରଦେଶ ଭିନିପେଜ୍ ସହରର ଅବଜିତ୍ କିଙ୍ଗରା (୨୫) । ଅବଜିତ୍ ଆଖିବୁଜା ଗୁଳି ଚଳାଇବା ସହିତ କୋଲଭୁଡରେ ଦୁଇଟି ଗାଡ଼ିରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ ।

ପୋଲିସ ମୁତାବକ, ଅଭିଯୁକ୍ତଙ୍କୁ ଓଣ୍ଟାରିଆରୁ ଗିରଫ କରାଯାଇଛି । ବହୁତ ଜଲଦି ତାଙ୍କୁ କୋର୍ଟରେ ହାଜର କରାଯିବ ।

କହି ରଖୁଛୁ, ‘ବ୍ରାଉନ ମୁଣ୍ଡେ…’, ‘ସମର ହାଇ…’ ଫେମ୍ ଗାୟକ ଏପି ଢିଲୋନଙ୍କ ଘର ବାହାରେ ଗତ ସେପ୍ଟେମ୍ବର ୧ରେ ଆଖିବୁଜା ଫାୟାରିଂ କରାଯାଇଥିଲା । କାନାଡାର ଭାନକୁଭରରେ ଥିବା ଘର ବାହାରେ ଆକ୍ରମଣକାରୀ ଏହି କାଣ୍ଡ ଘଟାଇଥିଲେ । ଆକ୍ରମଣ ପରେ ଏକ ଭାଇରାଲ ପୋଷ୍ଟ ଜରିଆରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା ।

ପୋଷ୍ଟରେ ଲେଖାଯାଇଥିଲା କି, ‘ସେପ୍ଟେମ୍ବର ୧ ତାରିଖ ରାତିରେ କାନାଡାରେ ଦୁଇଟି ଜାଗାରେ ଆମେ ଫାୟାରିଂ କରିଛୁ । ଯେଉଁଥିରେ ଗୋଟିଏ ଜାଗା ହେଉଛି ଭିକ୍ଟୋରିଆ ଆଇଲାଣ୍ଡ ଏବଂ ଅନ୍ୟଟି ଉଡବ୍ରିଜ୍ ଟରୋଣ୍ଟୋ । ମୁଁ ରୋହିତ ଗୋଦାରା (ଲରେନ୍ସ ବିଷ୍ଣୋଇ ଗ୍ରୁପ୍) ଏଥିପାଇଁ ନିଜକୁ ଦାୟୀ କରୁଛି’ ।

You might also like