କୁକୁର ପାଇଁ ଏୟାର ଇଣ୍ଡିଆ ବିମାନର ସବୁତକ ବିଜନେସ୍ କ୍ଲାସ୍ ସିଟ୍ ବୁକ୍ କରି ଦେଲେ ମାଲିକ, ଖର୍ଚ୍ଚ କଲେ ଏତେ ଟଙ୍କା
ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା କରିବା ସ୍ୱପ୍ନ ସହ ସମାନ ହୋଇଥାଏ। କିନ୍ତୁ ମୁମ୍ବାଇରେ ଏକ କୁକୁର ଫ୍ଲାଇଟ୍ର ବିଜନେସ୍ କ୍ଲାସ୍୍ରେ ଯାତ୍ରା କରିଛି। ସବୁଠୁ ମଜା କଥା ହେଉଛି କୁକୁରଟି ମାଲିକ ସହ ଏକୁଟିଆ ବିମାନରେ ଯାତ୍ରା କରିଛି। ଏହି ବିମାନଯାତ୍ରା ପାଇଁ ମାଲିକ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି। ଏହି ବିମାନର ବିଜନେସ୍ କ୍ଲାସ୍ରେ କୁକୁର ଓ ତା’ ମାଲିକ ବ୍ୟତୀତ ଆଉ କେହି ବି ନଥିଲେ, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ରିପୋର୍ଟ ମୁତାବକ, ବୁଧବାର ଦିନ ଏକ ଧଳା ରଙ୍ଗର କୁକୁର ଏୟାର ଇଣ୍ଡିଆର AI-671 ର ବିଜନେସ୍ କ୍ଲାସରେ ମୁମ୍ବାଇରୁ ଚେନ୍ନାଇ ଯାତ୍ରା କରିଛି। ଏହି ବିମାନର ଜେ କ୍ଲାସ କ୍ୟାବିନ୍ରେ ଥିବା ୧୨ଟି ଯାକ ସିଟ୍କୁ ମାଲିକ ବୁକ୍ କରିଥିବାରୁ କୁକୁରଟି ବେଶ୍ ଆରାମରେ ୨ ଘଣ୍ଟାର ଏହି ଯାତ୍ରା କରିଛି। ପ୍ରକାଶ ଯେ, ଏୟାର ଇଣ୍ଡିଆର ମୁମ୍ବାଇ-ଚେନ୍ନାଇ ବିଜନେସ୍ କ୍ଲାସ୍ର ଭଡ଼ା ବ୍ୟକ୍ତି ପ୍ରତି ୨୦ ହଜାର ଟଙ୍କା।
ତେବେ ପ୍ରଥମ ଥର ପାଇଁ କୌଣସି ପୋଷା କୁକୁର ଏଭଳି ବିଜନେସ୍ କ୍ଲାସ୍ରେ ଏକାକୀ ବିମାନ ଯାତ୍ରା କରିଛି। କୁକୁରର ଏହି ଯାତ୍ରା ଅନ୍ୟମାନଙ୍କୁ ବି ଆଶ୍ଚର୍ଯ୍ୟ କରି ଦେଇଛି। ପୋଷା କୁକୁର ପାଇଁ କୌଣସି ମାଲିକ ଏତେ ଟଙ୍କା ଖର୍ଚ୍ଚ କରିବା ବୋଧେ ପ୍ରଥମ ବୋଲି କୁହାଯାଉଛି।