ଗର୍ଭରେ ବଢ଼ୁଥିବା ସନ୍ତାନ ପାଇଁ ଏହି ବ୍ୟକ୍ତି ତିଆରି କଲେ ନୁଡୁଲ୍ସ ଘର, ସୋସିଆଲ ମିଡିଆରେ ୟୁଜର୍ସ ଦେଲେ ଏଭଳି ପ୍ରତିକ୍ରିୟା

ଆମେ ସମସ୍ତେ ନୁଡୁଲ୍ସ ଖାଇବାକୁ ପସନ୍ଦ କରିଥାଉ। କିନ୍ତୁ ଚୀନରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନୁଡୁଲ୍ସ ବ୍ୟବହାର କରି ଅଲଗା କିଛି ତିଆରି କରିଛନ୍ତି। ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ବ୍ୟକ୍ତି ଜଣକ ନୁଡୁଲ୍ସକୁ ନେଇ ଏକ ଘର ବନାଇଛନ୍ତି। ଆଉ ଏହା ସୋସିଆଲ ମିଡିଆରେ ମଧ୍ୟ ଖୁବ୍‌ ପ୍ରଶଂସିତ ହେଉଛି। ସେ ନିଜ ସନ୍ତାନକୁ ଉପହାର ଦେବା ପାଇଁ ଏଭଳି ଘର ତିଆରି କରିଛନ୍ତି, ଯିଏ ଖୁବ୍‌ ଶୀଘ୍ର ଏହି ଦୁନିଆକୁ ଆସୁଛି। ଚୀନର ଉତ୍ତର-ପୂର୍ବ କ୍ଷେତ୍ରରେ ରହୁଥିବା ଏହି ବ୍ୟକ୍ତି ଜଣକ ହେଲେ ଶ୍ରୀ ଝାଙ୍ଗ୍‌। ଏହି ପ୍ଲେହାଉସ୍‌କୁ ବନାଇବା ପରେ ଝାଙ୍ଗ୍‌ ସୋସିଆଲ ମିଡିଆରେ ଏହାର ଏକ ଫଟୋ ସେୟାର କରିଥିଲେ। ଫଟୋଟି ଭାଇରାଲ ହେବା ପରେ ଖୁବ୍‌ ଚର୍ଚ୍ଚାରେ ରହିଛି।

ଏହାସହ ପଢ଼ନ୍ତୁ: କ’ଣ ରାଜସ୍ଥାନରେ ହୋଇଛି ‘କଙ୍କଡ଼ା ବିଛା ବର୍ଷା’! ଜାଣନ୍ତୁ ସତ

ଝାଙ୍ଗ୍‌ କହିଛନ୍ତି, ୨୦୦୦ ପ୍ୟାକେଟ୍‌ ନୁଡୁଲ୍ସରେ ସେ ପ୍ଲେହାଉସ୍‌ ନିର୍ମାଣ କରିଛନ୍ତି। ୪ ବର୍ଗ ମିଟର ଜାଗାରେ ତିଆରି ହୋଇଥିବା ଏହି ଘରେ ଏକ ବେଡ୍‌ ରହିଛି, ଯେଉଁଠି ଜଣେ ବଡ଼ ମଣିଷ ମଧ୍ୟ ଆରାମରେ ଶୋଇପାରିବ। ଘରେ ଲାଇଟ୍‌ ଲଗାଯାଇଛି। ପବନ ଯିବାଆସିବା ପାଇଁ ଏକ ଝରକା ବି ରହିଛି। ସେ କହିଥିଲେ, ‘ମୋର ଜଣେ ସାଙ୍ଗ ନୁଡୁଲ୍ସ ବ୍ୟବସାୟ କରନ୍ତି। ତାଙ୍କ ପାଖରେ ଅଧିକ ସଂଖ୍ୟକ ପ୍ୟାକେଟ୍‌ ଥିଲା, ଯେଉଁଗୁଡ଼ିକର ଏକ୍ସପାୟରି ଡେଟ୍‌ ଚାଲିଯାଇଥିଲା। ସେ ସେଗୁଡ଼ିକୁ ପିଙ୍ଗି ଦେବାକୁ ଚାହୁଁଥିଲେ, କିନ୍ତୁ ମୁଁ ତାହାକୁ ନେଇଆସିଲି। ଆଉ ଏହା ସାହାଯ୍ୟରେ ଘର ତିଆରି କଲି’। ସେପଟେ କେତେଜଣ ୟୁଜର ଏହା ଉପରେ କହିଥିଲେ ଯେ ‘ଯଦି ପିଲା ଭୁଲ୍‌ରେ ଏହି ନୁଡୁଲ୍ସକୁ ଖାଇଦିଏ, ତା’ହେଲେ ତା’ର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ’। ଆଉ ଜଣେ କହିଥିଲେ, ‘ଖରାପ ନୁଡୁଲ୍ସ ପୋକକୁ ଆକର୍ଷିତ କରିପାରେ, ଯାହାକି ରୋଗର କାରଣ ବନିପାରେ। ଏହିଭଳି ଘର ଶିଶୁର ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ’।