ପ୍ରତିଶୋଧ ପାଇଁ କୁରାଢ଼ୀରେ ହାଣିଦେଲେ କୁକୁରର ୩ ଗୋଡ଼, ଛଟପଟ ହୋଇ ଚାଲିଗଲା ପ୍ରାଣ; ଭାଇରାଲ ହେଉଛି ଭିଡିଓ

କ୍ରୁରତାର ସବୁ ସୀମା ଟପିଲା ମଣିଷ। ପ୍ରତିଶୋଧ ନେବାକୁ ନିରୀହ କୁକୁରର ୩ ଗୋଡ଼କୁ ହାଣି ହତ୍ୟା କଲା। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ରାଜସ୍ଥାନର ଅଲବରଠାରେ। ଏଠାରେ ଏକ ପୋଷା କୁକୁରକୁ ମାଲିକର କ୍ଷେତରୁ ଉଠାଇ ନେଇ କିଛି ଲୋକ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଭିଯୋଗ ପରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ରିପୋର୍ଟ ମୁତାବକ, ରେଣି କସବା ନିବାସୀ ଅଶୋକ ଏକ କୁକୁର ପାଳିଥିଲେ। ବୁଧବାର ସକାଳ ୭.୩୦ରେ ଗାଁର ବାବୁ, ସନ୍ତୋଷ, ସୋନୁ ଓ କୁନାଲ କୁକୁରକୁ ବିଲରୁ ନେଇ ଏକ ଗଛରେ ବାନ୍ଧି କୁରାଢ଼ୀରେ ତାର ୩ ଗୋଡ଼କୁ ହାଣିଦେଇଥିଲେ। ଫଳରେ କୁକୁର ଯନ୍ତ୍ରଣାରେ ଛଟପଟ ହୋଇ ପ୍ରବଳ ଭୁକିଥିଲା। ପ୍ରାୟ ୨ ଘଣ୍ଟା ଧରି ଛଟପଟ ହେବା ପରେ ତାର ମୃତ୍ୟୁ ହୋଇଥିଲା।

ଏନେଇ ଜଣାପଡ଼ିବା ପରେ କୁକୁରର ମାଲିକ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କ ସହ ଝଗଡ଼ା କରିଥିଲେ। କୁକୁରର ମାଲିକ କହିଛନ୍ତି ଅଭିଯୁକ୍ତ ସନ୍ଦେହ କରୁଥିଲେ ଯେ କିଛିଦିନ ତଳେ ତାଙ୍କ ଛେଳିକୁ ମୋ କୁକୁର ମାରିଥିଲା। କିନ୍ତୁ ପ୍ରକୃତରେ ବୁଲା କୁକୁରମାନେ ତାଙ୍କ ଛେଳିକୁ ମାରିଥିଲେ। ଯାହାର ପ୍ରତିଶୋଧ ନେବାକୁ ତାଙ୍କ ପୋଷା କୁକୁରକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ତେବେ ୪ ଅଭିଯୁକ୍ତଙ୍କ ବିରୋଧରେ ପଶୁ କ୍ରୁରତା ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.