ଭଗବାନ ଶିବଙ୍କୁ ଅଭିଷେକ କରୁଥିବା ବେଳେ ହାର୍ଟଆଟାକରେ ଯୁବକଙ୍କ ଚାଲିଗଲା ପ୍ରାଣ । ମନ୍ଦିରରେ ଲାଗିଥିବା ସିସିଟିଭିଏରେ କଏଦ ହେଲା ସଂପୂର୍ଣ୍ଣ ଦୃଶ୍ୟ । ଘଟଣା ଗୁଜରାଟ ଭାଲସାଡ ପାରନେରା ଡୁଙ୍ଗୁର ସ୍ଥିତ ମହାଦେବ ମନ୍ଦିରରେ ଘଟିଛି ।
ସିସିଟିଭିରେ ଦେଖିବାକୁ ମିଳିଛି କି, ୩ରୁ ୪ ଜଣ ଲୋକ ପୂଜା କରୁଥିଲେ । ଏହି ସମୟରେ ଜଣକ ହାର୍ଟଆଟାକ ଆସିଥିଲା । ଫଳରେ ବ୍ୟକ୍ତି ଜଣକ ତଳେ ପଡିଯାଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକ ସିପିଆର ଦେଇଥିଲେ । କିନ୍ତୁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା ।
ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ କିଶୋରଭାଇ ପଟେଲ । ସେ ଦୀର୍ଘଦିନ ପାରନେରା ପାହାଡ ଚଢି ଶିବଲିଙ୍ଗ ଅଭିଷେକ କରନ୍ତି । ଶିବଙ୍କୁ ଅଭିଷେକ କରିବା ସମୟରେ ତାଙ୍କୁ ହାର୍ଟଆଟାକ ହୋଇଛି । ତେବେ ତାଙ୍କ ମୃତ୍ୟୁରେ ମନ୍ଦିରରେ ଥିବା ଅନ୍ୟ ଲୋକ ମଧ୍ୟ ଭୟଭୀତ ହୋଇଯାଇଛନ୍ତି । ମନ୍ଦିର ପରିସରରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ମାଲେସିଆର ରାଜଧାନୀ କୁଆଲାଲମପୁରରୁ ତାମିଲନାଡ଼ୁର ଚେନ୍ନାଇ ଆସୁଥିବା ବିମାନରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହାର୍ଟଆଟାକରେ ହୋଇଛି । ମୃତା ମହିଳା ହେଲେ ତାମିଲନାଡ଼ୁର କଲ୍ଲାକୁରିଚି ଜିଲ୍ଲାର ବାସିନ୍ଦା । ବିମାନ ଭିତରେ ହଠାତ୍ ସେ ହୃଦଘାତର ଶିକାର ହୋଇଥିଲେ, ଯେଉଁଥିରେ ତାଙ୍କ ମୃତ୍ୟୁ ହୋଇଥିଲା । ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି । ପୋଲିସ ପୂରା ଘଟଣା ବିଷୟରେ ସୂଚନା ଦେଇ କହିଛି ଯେ, ଏକ ଘରୋଇ ଏୟାରଲାଇନର ବିମାନ ଚେନ୍ନାଇରେ ପହଞ୍ଚିବା ପରେ ଚାଳକ ଦଳର ସଦସ୍ୟମାନେ ମହିଳା ଯାତ୍ରୀଙ୍କୁ ବେହୋସ୍ ଅବସ୍ଥାରେ ପାଇଥିଲେ ।