ଅତି ନିର୍ମମ ଭାବେ ମା’ର ଜୀବନ ନେଲା ପୁଅ, ଇନଷ୍ଟାଗ୍ରାମରେ ମାଗିଲା କ୍ଷମା

ମା’ ଓ ସନ୍ତାନର ସମ୍ପର୍କ ସବୁଠୁ ଉଚ୍ଚରେ । ଜଣେ ମା’ ନିଜ ସନ୍ତାନ ପାଇଁ ସବୁ କିଛି କରେ । ନିଜେ ଭୋକିଲା ରହି ଛୁଆର ପେଟ କଥା ବୁଝେ । କିନ୍ତୁ ବତ୍ତର୍ମାନ ସନ୍ତାନମାନଙ୍କ ମନରେ ଆଉ ବାପା ମା’ଙ୍କ ପ୍ରତି ଭଲ ପାଇବା ନାହିଁ । ନିଜ ମା’ ବାପାଙ୍କୁ ମାରିବାକୁ ପଛାଉ ନାହାନ୍ତି କିଛି ସନ୍ତାନ । ରାଗରେ ନରହନ୍ତା ପାଲଟି ଯାଇ ନିଜ ପରିବାରକୁ ହିଁ ନଷ୍ଟ କରିଦେଉଛନ୍ତି । ଜଣେ ଯୁବକ ବି ଏମିତି କିଛି କରି ବସିଛି ।  ଯୁବକ ଜଣକ ନିଜ ମା’କୁ ଅତି ନିର୍ମମ ଭାବେ ହତ୍ୟା କଲା ଆଉ ଜୀବନ ନେବା ପରେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଲେଖିଲା ସରି ମମ୍‌ ଆଇ କିଲ୍‌ ୟୁ । ଏଭଳି ଫୋଷ୍ଟ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଗୁଜୁରାଟର ରାଜକୋଟରୁ ଏମିତି ଏକ ଚାଞ୍ଚଲ୍ୟ ଖବର ସାମ୍ନାକୁ ଆସିଛି । ନିଜ ମା’କୁ ମାରିବା ପରେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛି ସରି ମମ୍‌, ଆଇ କିଲ୍‌ ୟୁ, ଆଇ ମିସ୍‌ ୟୁ ମମ୍‌, ଓମ୍‌ ଶାନ୍ତି । ଏଭଳି ପୋଷ୍ଟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା । ଘଟଣା ବିଷୟରେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ପୋଲିସ କହିବା ଅନୁସାରେ ୪୮ ବର୍ଷିୟ ଜ୍ୟୋତିବେନ୍‌ ଗୋସାଇଁ ମାନସିକ ରୋଗୀ ଥିଲେ । ଏହାକୁ ନେଇ ଘରେ ବାରମ୍ବାର ଝଗଡ଼ା ହେଉଥିଲା । ଆଉ ଏହି ଝଗଡ଼ାରେ ବିରକ୍ତ ହୋଇ ଅଭିଯୁକ୍ତ ପୁଅ ହିଁ ନିଜ ମା’ର ଜୀବନ ନେଲା । ଅଭିଯୁକ୍ତକୁ ଗିରଫ କରାଯାଇ ଅଧିକ ପଚରା ଉଚୁରା ଜାରି ରହିଛିି । ଅଭିଯୁକ୍ତ ନୀଲେସ ନିଜ ମା’ର ଜୀବନ ନେବା ପରେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି କ୍ଷମା ମାଗିଥିଲା । ପରେ ନିଜ ସାଙ୍ଗ ଭାରତ ଏବଂ ପୋଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲା ।

ଜୌତିବେନ୍‌ ଗୋସାଇଁ ଦୀର୍ଘ ବର୍ଷ ଧରି ମାନସିକ ରୋଗରେ ପିଡ଼ିତ ଥିଲେ ବୋଲି ତଦନ୍ତରେ ଜଣାପଡ଼ିଛି । ତାଙ୍କର ଚିକିତ୍ସା ମଧ୍ୟ ଚାଲୁଥିଲା । କିନ୍ତୁ ଗତ କିଛି ଦିନ ହେବ ଜ୍ୟୋତିବେନ ଔଷଧ ଖାଇବା ବନ୍ଦ କରିଦେଲେ । ଫଳରେ ଘରେ ଝଗଡ଼ା ବଢ଼ିଲା । ଏବଂ ଜ୍ୟୋତିବେନଙ୍କ ପୁଅ ନୀଲେସ ରାଗରେ ଏଭଳି କାଣ୍ଡ କରିବସିଲା । ଆଉ ଜୀବନ ନେବା ପରେ ସୋସିଆଲ ମିଡିଆରେ କ୍ଷମା ମାଗିଲା । କିନ୍ତୁ ଜୀବନ ନେବା ପରେ ସେ କ୍ଷମାର ମାନେ କଣ । ସମସ୍ତଙ୍କ ଘରେ କଳି ଝଗଡ଼ା ହୁଏ । କିନ୍ତୁ ତା ମାନେ ନୁହେଁ ଯେ ଅପରାଧକୁ ଆପଣେଇ ନିଜ ମା’ ବାପାଙ୍କ ଜୀବନ ନେବା ।