ଏତେ ରାଗ…! ପାର୍କିଂକୁ ନେଇ ବିବାଦ ପରେ ପଡ଼ୋଶୀଙ୍କ କାରରେ ନିଆଁ ଲଗାଇ ଦେଲେ ଯୁବକ

ରାଜଧାନୀ ଦିଲ୍ଲୀରେ ଗାଡ଼ି ପାର୍କିଂକୁ ନେଇ ଏକ ଅଜବ କାଣ୍ଡ ଘଟିଛି । ଏଠାରେ ଲାଜପତ୍ ନଗର ଅଞ୍ଚଳରେ ଜଣେ ଯୁବକ ନିଜ ପଡ଼ୋଶୀଙ୍କ କାରରେ ନିଆଁ ଲଗାଇ ଦେଇଛନ୍ତି । ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ୨୮ ବର୍ଷୀୟ ରାହୁଲ ଭାସିନ । ତାଙ୍କୁ ଉତ୍ତର ପ୍ରଦେଶର ଆମେଠିରୁ ଗିରଫ କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ରାହୁଲ ଇଭେଣ୍ଟ ମ୍ୟାନେଜମେଣ୍ଟ କାମ କରନ୍ତି । ସେ ତାଙ୍କ ଭାଇଙ୍କ ପରିବାର ସହିତ ଲାଜପତ ନଗରରେ ରୁହନ୍ତି । ତେବେ ଗାଡ଼ି ପାର୍କିଂକୁ ନେଇ ତାଙ୍କର ପଡ଼ୋଶୀ ବ୍ୟକ୍ତିଙ୍କ ସହ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିଲା । ପଡ଼ୋଶୀ ବ୍ୟକ୍ତି ରଞ୍ଜିତ ସିଂ ଏକ ସାଂସ୍କୃତିକ ଅନୁଷ୍ଠାନର ସଂସ୍ଥାପକ ।

ନଭେମ୍ବର ୨୯ରେ ରଞ୍ଜିତ ପୋଲିସରେ ଅଭିଯୋଗ କରିଥିଲେ ଯେ ରାହୁଲ ତାଙ୍କ କାରକୁ କ୍ଷତି କରିଛନ୍ତି । ଯାଞ୍ଚ ସମୟରେ ସିସିଟିଭି ଫୁଟେଜରେ ରାହୁଲ କାର୍ ମିରରକୁ ମୋଡ଼ୁଥିବା ଏବଂ ନିଜ ଗାଡ଼ିକୁ ରାସ୍ତା ମଝିରେ ପାର୍କ କରୁଥିବାର ଦେଖାଯାଇଥିଲା । ଏହାପରେ ପୋଲିସ ତାଙ୍କ କାରକୁ ଜବତ କରି ଯାଞ୍ଚ ଆରମ୍ଭ କରିଥିଲା ।

ହେଲେ ନଭେମ୍ବର ୩୦ ଏବଂ ଡିସେମ୍ବର ୧ ମଧ୍ୟରାତ୍ରିରେ ରାହୁଲ ଥିନର ଉପଯୋଗ କରି ରଞ୍ଜିତଙ୍କ କାର୍ ବନେଟରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏହାପରେ ରଞ୍ଜିତଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ୍ ଗଠନ କରିଥିଲା । ଗୁଇନ୍ଦା ସୂଚନା ଆଧାରରେ ପୋଲିସ ରାହୁଲଙ୍କ ଠିକଣା ଖୋଜି ବାହାର କରିଥିଲା ଏବଂ ତାଙ୍କୁ ଉତ୍ତର ପ୍ରଦେଶରୁ ଗିରଫ କରି ଦିଲ୍ଲୀ ଆଣିଥିଲା ।