ମଝି ଆକାଶରେ Air Europa ବିମାନରେ ଟର୍ବୁଲାନ୍ସ, ସିଟ୍ରୁ ଛିଟିକି ଲଗେଜ୍ କମ୍ପାର୍ଟମେଣ୍ଟ ଭିତରେ ପଶିଗଲେ ଯାତ୍ରୀ
ପୁଣି ଟର୍ବୁଲାନ୍ସ (ଝଟ୍କା)ର ଶିକାର ହେଲା ଏକ ସ୍ପାନିଶ୍ ବିମାନ । ବିମାନ ଭିତରୁ ଟର୍ବୁଲାନ୍ସର ଭୟଙ୍କର ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଟର୍ବୁଲାନ୍ସ ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା ୩୨୫ ଯାତ୍ରୀଙ୍କ ନିଃଶ୍ୱାସ ଏକପ୍ରକାର ବନ୍ଦ ହୋଇଯାଇଥିଲା । ଏହି ସମୟରେ ଜଣେ ଯାତ୍ରୀ ବିମାନ ଛାତରେ ଯାଇ ଅଟକି ଯାଇଥିଲେ । ସେ ନିଜ ସିଟ୍ରୁ ଛିଟିକି ଲଗେଜ୍ କମ୍ପାର୍ଟମେଣ୍ଟ ଭିତରେ ପଶିଯାଇଥିଲେ ।
ଏୟାର ଟର୍ବୁଲାନ୍ସ ଯୋଗୁ ବିମାନରେ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ତେବେ ଉଡ଼ାଣ ଭରିବା ପରେ ବିମାନରେ ହାଲୁକା ଟର୍ବୁଲାନ୍ସ ହେବା ସାଧାରଣ କଥା, କିନ୍ତୁ ଏଠି ଭୟଙ୍କର ଟର୍ବୁଲାନ୍ସର ଶିକାର ହୋଇଛି ଏୟାର ୟୁରୋପା ବିମାନ । ବହୁ ଉଚ୍ଚରେ ଉଡ଼ୁଥିବା ବେଳେ ଏୟାର ୟୁରୋପା ବୋଇଙ୍ଗ୍ ୭୮୭-୯ ଡ୍ରିମ୍ଲାଇନର୍ ବିମାନରେ ହଠାତ୍ ଟର୍ବୁଲାନ୍ସ ଆରମ୍ଭ ହୋଇଯାଇଥିଲା । ଏହାର ସ୍ପିଡ୍ ଏତେ ଅଧିକ ଥିଲା ଯେ ବିମାନକୁ ବ୍ରାଜିଲ୍ରେ ଜରୁରୀ ଅବତରଣ କରାଇବାକୁ ପଡ଼ିଥିଲା ।
ସୋମବାର ଘଟିଥିବା ଏହି ଘଟଣାରେ ୩୦ ଯାତ୍ରୀ ଆହତ ହୋଇଛନ୍ତି । ଜଣେ ଯାତ୍ରୀ ନିଜ ସିଟ୍ରୁ ଛିଟିକି ଉପରେ ତିଆରି ଲଗେଜ୍ କମ୍ପାର୍ଟମେଣ୍ଟ ଭିତରେ ପଶିଯାଇଥିଲେ । ଏଥିରୁ ଟର୍ବୁଲାନ୍ସର ଭୟାବହତା ଅନୁମାନ କରାଯାଇପାରିବ ।
ରିପୋର୍ଟ ମୁତାବକ, ସ୍ପେନ୍ର ମେଡ୍ରିଡ୍ରୁ ଉଡ଼ାଣ ଭରିଥିବା ଏୟାର ୟୁରୋପା ବିମାନ ଉରୁଗୁଏର ରାଜଧାନୀ ମୋଣ୍ଟେଭିଡିୟୋ ଯାଉଥିଲା । ହେଲେ ମଝି ଆକାଶରେ ଟର୍ବୁଲାନ୍ସ ଆରମ୍ଭ ହେବାରୁ ବିମାନକୁ ବ୍ରାଜିଲ୍ ଏୟାରପୋର୍ଟରେ ଲ୍ୟାଣ୍ଡ୍ କରାଇବାକୁ ପଡ଼ିଥିଲା । ସ୍ପାନିଶ୍ ଏୟାରଲାଇନ୍ ଅନୁସାରେ, ଟର୍ବୁଲାନ୍ସ ପରେ ବିମାନକୁ ବ୍ରାଜିଲ୍ର ନଟଲ ଏୟାରପୋର୍ଟ ଆଡ଼କୁ ଡାଇଭର୍ଟ କରି ଦିଆଯାଇଥିଲା । ବର୍ତ୍ତମାନ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ ହୋଇସାରିଛି ।
ସେପଟେ ବିମାନରେ ଟର୍ବୁଲାନ୍ସ ହେଉଥିବା ବେଳେ କିଛି ଯାତ୍ରୀ ଭିଡିଓ କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଟର୍ବୁଲାନ୍ସ ହେତୁ ବିମାନ ଭିତରେ ବହୁତ କ୍ଷୟକ୍ଷତି ହୋଇଥିବା ଭିଡିଓରେ ଦେଖାଯାଉଛି ।