ପୁରୁଷଙ୍କୁ କହିପାରିବେନି ନପୁଂସକ : ବମ୍ବେ ହାଇକୋର୍ଟଙ୍କ ଐତିହାସିକ ରାୟ

ପୁରୁଷଙ୍କୁ କହିପାରିବେନି ନପୁଂସକ । କୌଣସି ବ୍ୟକ୍ତିଙ୍କୁ ନପୁଂସକ କହିବା ମାନହାନୀ ସହ ସମାନ ଏବଂ ଏହା ଏକ ଅପରାଧ । ଏଭଳି ଏକ ଐତିହାସିକ ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ ।

ଜଣେ ମହିଳାଙ୍କ ଆବେଦନକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ । ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ କହିଛନ୍ତି କି ଏଭଳି ଶବ୍ଦ ପ୍ରୟୋଗ କରିବା ମାନହାନୀ କରିବା ସହ ସମାନ। ତେଣୁ କୌଣସି ବ୍ୟକ୍ତିଙ୍କ ପ୍ରତି ଏହି ଶବ୍ଦ ବ୍ୟବହାର କଲେ ଦଣ୍ଡିତ ହୋଇପାରନ୍ତି ।

ଜଷ୍ଟିସ୍ ସୁନୀଲ ଶୁଖରେ କହିଛନ୍ତି, ନପୁଂସକ ଜଣେ ବ୍ୟକ୍ତିଙ୍କ ପୁରୁଷପଣିଆ ଉପରେ ପ୍ରତିକୂଳ ପ୍ରଭାବ ପକାଏ । ଏହି ଶବ୍ଦ ଶୁଣିଲେ ତାଙ୍କ ସମ୍ପର୍କରେ ଅନ୍ୟମାନେ ପ୍ରତିକୂଳ ମନ୍ତବ୍ୟ ଦିଅନ୍ତି। ତେଣୁ ଏହା ଧାରା ୪୯୯ ଏବଂ ଧାରା ୫୦୦ ଅନୁସାରେ ମାନହାନୀ ଅନ୍ତର୍ଭୁକ୍ତ । ଏ ଶବ୍ଦକୁ ପ୍ରକାଶ କରିବା ଦ୍ୱାରା ହେଉଥିବା କ୍ଷତିକୁ ଧୋଇ ହେବ ନାହିଁ ବୋଲି କହିଛନ୍ତି ଜଷ୍ଟିସ୍ ।

ସୂଚନାଯୋଗ୍ୟ , ଝିଅ ଜନ୍ମହେବା ପରେ ଉକ୍ତ ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ଆରମ୍ଭ ହୋଇଥିଲା । ଯାହା ଫଳରେ ୨୦୧୬ ନଭେମ୍ବର ୨୧ ରେ ମହିଳା ଜଣକ ନିଜ ବାପଘରକୁ ଚାଲିଯାଇଥିଲେ। ପରେ ସେ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ତେବେ କୋର୍ଟ ସ୍ୱାମୀଙ୍କୁ ଝିଅର ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ ଦେଇଥିଲେ। ଆଉ ଏହି ଆଦେଶକୁ ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ ପତ୍ନୀ । ଯେଉଁଥିରେ ସେ ନିଜ ସ୍ବାମୀଙ୍କ ଉପରେ ନଂପୁସକ ଭଳି ସଙ୍ଗୀନ ଅଭିଯୋଗ ଲଗାଇଥିଲେ ।