ୟୁପି: ପ୍ରାର୍ଥୀଙ୍କୁ ୮ ଥର ଭୋଟ୍‌ ଦେଇ ଯୁବକ ଗିରଫ, ପୋଲିଂ ପାର୍ଟି ନିଲମ୍ବିତ; ବୁଥ୍‌ରେ ହେବ ପୁନଃ ମତଦାନ

ଉତ୍ତର ପ୍ରଦେଶର ଏଟାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଏଠାରେ ଜଣେ ଯୁବକ ଥରେ କି ଦୁଇଥର ନୁହେଁ, ବରଂ ୮ ଥର ଭୋଟ୍ ଦେଇଥିବା ଦାବି କରିଛନ୍ତି ।

ଉତ୍ତର ପ୍ରଦେଶର ଏଟାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଏଠାରେ ଜଣେ ଯୁବକ ଥରେ କି ଦୁଇଥର ନୁହେଁ, ବରଂ ୮ ଥର ଭୋଟ୍ ଦେଇଥିବା ଦାବି କରିଛନ୍ତି । ତାଙ୍କର ଏଭଳି ଦାବି ପରେ ବର୍ତ୍ତମାନ ସମ୍ପୃକ୍ତ ପୋଲିଂ ବୁଥରେ ପୁନଃ ମତଦାନ ଅନୁଷ୍ଠିତ ହେବ । ଏହାରି ଭିତରେ ୮ ଥର ଭୋଟ୍ ଦେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିନେଇଛି ।

ନିର୍ବାଚନ ଆୟୋଗ ଉକ୍ତ ମତଦାନ କେନ୍ଦ୍ରରେ ପୁନଃ ଭୋଟିଂ ପାଇଁ ସୁପାରିଶ କରିଛନ୍ତି । ଏହା ସହିତ ଏହି ଘଟଣାରେ ପୋଲିଂ ପାର୍ଟିର ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଏଟା ମତଦାନ କେନ୍ଦ୍ରରେ ଜଣେ ଯୁବ ଭୋଟର ଦାବି କରିଛନ୍ତି ଯେ ସେ ୮ ଥର ଭୋଟ୍ ଦେଇଛନ୍ତି । ସେ ଏହାର ଏକ ଭିଡିଓ ମଧ୍ୟ କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସେୟାର କରିଛନ୍ତି ।

ମାମଲା ସାମ୍ନାକୁ ଆସିବା ପରେ ଏଟା ଜିଲ୍ଲାର ନୟାଗାଁ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି । ୮ ଥର ଭୋଟ୍ ଦେଇଥିବା ଯୁବକଙ୍କ ପରିଚୟ ମଧ୍ୟ ମିଳିଛି । ସେ ହେଲେ ଖିରିଆର ପମାରାନ ଗାଁର ରାଜନ ସିଂ । ପୋଲିସ ରାଜନଙ୍କୁ ଗିରଫ କରିଛି । ସେପଟେ ପୋଲିଂ ପାର୍ଟିର ସମସ୍ତ ସଦସ୍ୟଙ୍କୁ ନିଲମ୍ବନ କରିବା ଏବଂ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ୟୁପିର ମୁଖ୍ୟ ନିର୍ବାଚନ ଅଧିକାରୀ ଅବଶିଷ୍ଟ ପର୍ଯ୍ୟାୟରେ ମତଦାନର ପ୍ରକ୍ରିୟାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭାଇରାଲ ଭିଡିଓରେ ଜଣେ ଯୁବକ ଇଭିଏମ୍ ପାଖରେ ଠିଆ ହୋଇଥିବାର ଦେଖା ଯାଉଛନ୍ତି । ଏଥିରେ ସେ ୮ ଥର ଭୋଟ୍ ଦେଇଛନ୍ତି ବୋଲି ଦାବି କରୁଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭିଡିଓଟିକୁ ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ସେୟାର କରିଛନ୍ତି । ତେବେ ସମାଜବାଦୀ ପାର୍ଟି ‘X’ରେ ଭିଡିଓ ସେୟାର କରି ଲେଖିଛି ଯେ ଯୁବକ ଜଣକ ୮ ଥର ବିଜେପି ପକ୍ଷରେ ଭୋଟ୍‌ ଦେଇଛନ୍ତି । ଏହି ଘଟଣା ନିଶ୍ଚିତ ରୂପେ ବୁଥ୍‌ ଦାଖଲକୁ ଦର୍ଶାଉଛି । ଅଭିଯୁକ୍ତମାନଙ୍କ ବିରୋଧରେ ନିର୍ବାଚନ ଆୟୋଗ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

Leave A Reply

Your email address will not be published.