#Me Too ମୁଭମେଣ୍ଟକୁ ନେଇ ଆକ୍ସନ ମୁଡ୍ରେ କେନ୍ଦ୍ର ସରକାର । ଯାଞ୍ଚ ପାଇଁ ଗଠନ ହେବ କମିଟି । ୪ ଜଣିଆ କମିଟି ଖୋଜିବେ ଅଭିଯୋଗର ସତ୍ୟତା । ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ କମିଟି ଗଠନ କରାଯିବ । ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି । ଏନେଇ ସେ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦେବେ । ଯୌନ ନିର୍ଯାତନା ମାମଲାର ନ୍ୟାୟିକ ଓ ବ୍ୟବସ୍ଥାଗତ ରୂପରେଖ କଣ ରହିବ, ତର୍ଜମା କରିବ ଏହି କମିଟି । କେନ୍ଦ୍ରମନ୍ତ୍ରୀ ଏମ୍. ଜେ. ଆକବର ବି ଫସିଛନ୍ତି #MeToo ମୁଭମେଣ୍ଟର ଚକ୍ରବ୍ୟୁହରେ । ୯ରୁ ଅଧିକ ମହିଳା ତାଙ୍କ ନାଁରେ ସୋସିଆଲ୍ ମିଡିଆରେ ମୁହଁ ଖୋଲିଛନ୍ତି । ଏପରିକି ଦଳ ଓ ସରକାରରୁ ବି ତାଙ୍କୁ ନେଇ ଆପତ୍ତିର ସ୍ୱର ଉଠିଲାଣି । ସେ କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ଘଟଣା ନେଇ ସମ୍ପୂର୍ଣ୍ଣ ନିବର । ଚର୍ଚ୍ଚା ହେଉଛି, #MeToo ଏମ୍. ଜେ. ଆକବରଙ୍କ ମନ୍ତ୍ରୀପଦ ଛଡ଼ାଇ ନେଇପାରେ । ସେପଟେ ରାହୁଲ ଗାନ୍ଧି କହିଛନ୍ତି, ବର୍ତ୍ତମାନ ସମୟ ଆସିଛି ସମସ୍ତେ ମହିଳାଙ୍କୁ ସମ୍ମାନ ଓ ମର୍ଯାଦା ଦେବା ଶିଖିବା ଉଚିତ ।
ଭାରତରେ ବଲିଉଡ୍ରୁ ଆରମ୍ଭ #MeToo ଅଭିଯାନ ଏବେ ବହୁ ହାଇପ୍ରୋଫାଇଲ୍ ସେଲିବ୍ରିଟିଙ୍କ ପୋଲ୍ ଖୋଲିଲାଣି । ଜଣାଶୁଣା ପ୍ରଯୋଜକ ଓ ନିର୍ଦ୍ଦେଶକ ସୁବାସ ଘାଇଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ । ନାଁ ଗୋପନ ରଖି ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ, ସୁବାସ ଘାଇ ପାନୀୟରେ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ମହିଳା ଜଣଙ୍କ ସୁବାସଙ୍କ ସହ ଗୋଟିଏ ଫିଲ୍ମରେ କାମ କରିବା ବେଳେ ଏଭଳି ଘଟଣା ଘଟିଥିଲା । ଅଭିଯୋଗକୁ ସୁବାସ ଘାଇ ଖଣ୍ଡନ କରିବା ସହ #MeToo ମୁଭମେଣ୍ଟକୁ ଏକ ଫ୍ୟାସନ୍ ବୋଲି କହିଛନ୍ତି । ସେହିପରି ସାଦିଜ ଖାନ୍ଙ୍କ ନାଁରେ ବି ଆସିଛି ଅସଦାଚରଣର ସଙ୍ଗୀନ ଅଭିଯୋଗ । ଜଣେ ମହିଳା ସାମ୍ବାଦିକା ଅଭିଯୋଗ ଆଣିଛନ୍ତି । ଏହାପରେ ଅପକମିଂ ପ୍ରୋଜେକ୍ଟ ହାଉସ୍ଫୁଲ୍-ଫୋର୍ର ନିର୍ଦ୍ଦେଶନା ଦାୟିତ୍ୱରୁ ଓହରି ଯାଇଛନ୍ତି ସାଜିଦ । ଟ୍ଵିଟ୍ କରି ସେ ଏହି ସୂଚନା ଦେଇଛନ୍ତି ।
ଏହା ସହ ପଢନ୍ତୁ ସୁବାସ ଏବଂ ସାଜିଦ୍ ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ମାୟାନଗରୀରେ ବଢୁଛି #Me Too ମୁଭମେଣ୍ଟ
ଭାରତରେ #MeToo କ୍ୟାମ୍ପେନ୍ରେ ପ୍ରଥମେ ମୁହଁ ଖୋଲିଥିଲେ ତନୁଶ୍ରୀ ଦତ୍ତା । ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ଏହାପରେ ବିକାଶ ବେହେଲ, ରଜତ କପୁର, କୈଳାସ ଖେର, ଆଲୋକ ନାଥ, ଅନୁ ମଲ୍ଲିକଙ୍କ ଭଳି ସେଲିବ୍ରିଟିଙ୍କ ନାଁରେ ବି ଆସିଛି ସଙ୍ଗୀନ ଅଭିଯୋଗ । କିଛି ଲେଖକ, ବରିଷ୍ଠ ସାମ୍ବାଦିକ ଓ କ୍ରିକେଟର ବି ଏହା #MeToo ଜାଲରେ ପଡ଼ିଛନ୍ତି ।