ଦିଲ୍ଲୀ ମଦ ଦୁର୍ନୀତି: କୋର୍ଟରୁ ନିରାଶ ହେଲେ ମନୀଷ ସିସୋଦିଆ, ଜୁଲାଇ ୨୬ ଯାଏ ବଢ଼ିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ଡେପୁଟି ସିଏମ୍‌ ମନୀଷ ସିସୋଦିଆଙ୍କୁ ପୁଣିଥରେ କୋର୍ଟରୁ ନିରାଶ ହେବାକୁ ପଡ଼ିିଛି । ଏହି ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୬ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ମନୀଷ ସିସୋଦିଆଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର କୋର୍ଟରେ ହାଜର କରାଯାଇଥିଲା ।

ସେପଟେ ମଦ ଦୁର୍ନୀତି ମାମଲାରେ ବିଆର୍‌ଏସ୍‌ ନେତ୍ରୀ କେ. କବିତାଙ୍କ ବିରୋଧରେ ଦାଖଲ ଚାର୍ଜସିଟ୍‌କୁ କୋର୍ଟ ଗ୍ରହଣ କରିଛନ୍ତି । କୋର୍ଟ କବିତାଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜୁଲାଇ ୨୬ ଅପରାହ୍ନ ୨ରେ ହାଜର ହେବାକୁ କହିଛନ୍ତି । କୋର୍ଟ କବିତାଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଆମ୍ ଆଦମୀ ପାର୍ଟି ନେତା ସିସୋଦିଆଙ୍କୁ ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୦୨୨ ସହ ଜଡିତ ଦୁର୍ନୀତି ଅଭିଯୋଗରେ ସିବିଆଇ ଗତବର୍ଷ ଫେବୃୟାରୀ ୨୬ରେ ଗିରଫ କରିଥିଲା । ଏହାପରେ ସିସୋଦିଆ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଏହାର ସପ୍ତାହ ପରେ ଇଡି ମଧ୍ୟ ସିବିଆଇ ଦ୍ୱାରା ଦାଖଲ ଏଫ୍‌ଆଇଆର୍‌ ଆଧାରରେ ଏକ ଚାର୍ଜସିଟ୍ ଦାଖଲ କରି ସିସୋଦିଆଙ୍କୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଗିରଫ ହୋଇଛନ୍ତି । ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା । ଏହା ପରଠୁ ସେ ତିହାର ଜେଲ୍‌ରେ ଅଛନ୍ତି । ଚଳିତ ଲୋକସଭା ନିର୍ବାଚନ ବେଳେ କେଜ୍ରିୱାଲ ତାଙ୍କ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଅଦାଲତ ତାଙ୍କୁ ମେ’ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିଓ୍ଵାଲଙ୍କ ବ୍ୟତୀତ ଯାଞ୍ଚ ଏଜେନ୍ସି ଆପ୍‌ର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କୁ ମଧ୍ୟ ଗିରଫ କରିଥିଲା । ସୁପ୍ରିମକୋର୍ଟଙ୍କଠାରୁ ତାଙ୍କୁ ଜାମିନ ମିଳିସାରିଛି ।

You might also like