ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆ ଅଗଷ୍ଟ ୧୪ରୁ ଏକ ପଦଯାତ୍ରା ଆରମ୍ଭ କରିବେ । ଦିଲ୍ଲୀର ଲୋକଙ୍କୁ ଭେଟିବା ପାଇଁ ସେ ଏହି ପଦଯାତ୍ରା କରିବେ ବୋଲି ଦଳ ଘୋଷଣା କରିଛି । ଏହାପୂର୍ବରୁ ସିସୋଦିଆ ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନର ରଣନୀତି ଉପରେ ଆଲୋଚନା କରିବା ପାଇଁ ଦଳର ବରିଷ୍ଠ ନେତାଙ୍କ ସହ ବୈଠକ କରିଥିଲେ ।
ଏହି ବୈଠକରେ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ, ଆତିଶୀ, ଗୋପାଳ ରାୟ, ରାଜ୍ୟସଭା ସାଂସଦ ସଞ୍ଜୟ ସିଂ, ସନ୍ଦୀପ ପାଠକଙ୍କ ସମେତ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ ।
ବୈଠକରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରଣନୀତି ଏବଂ ଦିଲ୍ଲୀର ରାଜନୈତିକ ସ୍ଥିତି ଉପରେ ଆଲୋଚନା ହୋଇଥିବା ଆପ୍ର ଜାତୀୟ ସାଧାରଣ ସମ୍ପାଦକ (ସଙ୍ଗଠନ) ସନ୍ଦୀପ ପାଠକ କହିଛନ୍ତି । ଗୋପାଳ ରାୟ ଦଳର ଦିଲ୍ଲୀ ୟୁନିଟର ସଂଯୋଜକ ଅଛନ୍ତି ।
ମନୀଷ ସିସୋଦିଆ ଆଜି ଦଳୀୟ ବିଧାୟକ ଏବଂ ଆସନ୍ତାକାଲି କାଉନସିଲରମାନଙ୍କ ସହ ବୈଠକ କରିବେ । ଅଗଷ୍ଟ ୧୪ରେ ସେ ଦିଲ୍ଲୀ ଲୋକଙ୍କୁ ଭେଟିବା ପାଇଁ ଏକ ପଦଯାତ୍ରାରେ ବାହାରିବେ ।
ସୂଚନାଥାଉ କି, ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମ୍କୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ବିଆର୍ ଗଭଇ ଓ ଜଷ୍ଟିସ୍ କେଭି ବିଶ୍ୱନାଥଙ୍କ ଖଣ୍ଡପୀଠ ଏହି ମାମଲାର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ହାଇକୋର୍ଟ ତାଙ୍କର ଜାମିନ୍ ଆବେଦନକୁ ଖାରଜ କରିଦେଇଥିଲେ । ଏହା ପରେ ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସର୍ବୋଚ୍ଚ ଅଦାଲତ ସିସୋଦିଆଙ୍କୁ ୩ଟି ସର୍ତ୍ତରେ ଜାମିନ୍ ପ୍ରଦାନ କରିଛନ୍ତି । ପ୍ରଥମତଃ, ତାଙ୍କୁ ୧୦ ଲକ୍ଷ ଟଙ୍କା ବଣ୍ଡ୍ ଭରିବାକୁ ପଡ଼ିବ । ଦ୍ୱିତୀୟରେ, ଦୁଇ ଜାମିନ୍ଦାର ତାଙ୍କୁ ଉପସ୍ଥାପନ କରିବାକୁ ହେବ ଏବଂ ତୃତୀୟରେ, ସିସୋଦିଆ ନିଜର ପାସ୍ପୋର୍ଟ ସରେଣ୍ଡର୍ କରିବେ ।