‘ସିଦ୍ଧୁଙ୍କ ଦ୍ୱାରା ରାଜନୀତି ହେବନି, ଭଲ ହେବ ସେ ପୁଣି କପିଲ ଶର୍ମାଙ୍କ ଶୋ’କୁ ଫେରିଯାଆନ୍ତୁ’: ମନୀଷ ତିଓ୍ଵାରୀ

ପଞ୍ଜାବରେ ଚାଲିଥିବା ରାଜନୈତିକ ହଟଚମଟକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସର ବରିଷ୍ଠ ନେତା ମନୀଷ ତିଓ୍ଵାରୀ। ମନୀଷ କହିଛନ୍ତି, ପଞ୍ଜାବ ସମସ୍ୟାକୁ ସମାଧାନ କରିବା ଦାୟିତ୍ୱ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ଦିଆଯାଇଛି, ଯାହାର ପଞ୍ଜାବ ବିଷୟରେ କୌଣସି ଜ୍ଞାନ ନାହିଁ। ପୂର୍ବ କେନ୍ଦ୍ର ମନ୍ତ୍ରୀ ତଥା ଆନନ୍ଦପୁର ସାହିବ ଲୋକସଭାରୁ କଂଗ୍ରେସର ସାଂସଦ ଥିବା ମନୀଷ ତିଓ୍ଵାରୀ କହିଛନ୍ତି, ଗତ କିଛି ଦିନ ହେଲା ପଞ୍ଜାବର ରାଜନୀତି ବହୁତ ଖରାପ ଚାଲିଛି। ସେ କହିଛନ୍ତି ଯେ ନବଜୋତ ସିଂହ ସିଦ୍ଧୁଙ୍କର ଏହି ଘଟଣା ବାବଦରେ କୌଣସି ଜ୍ଞାନ ନାହିଁ। ରାଜନୀତି ଭଳି ବିଷୟ ତାଙ୍କ ବୁଝିବା ବାହାରେ। ଏଣୁ ସିଦ୍ଧୁ ମୁମ୍ବାଇ କପିଲ ଶର୍ମା ଶୋ’କୁ ଫେରିଯାଆନ୍ତୁ।

ମନୀଷ ତିଓ୍ଵାରୀ କହିଛନ୍ତି, ବହୁ କଷ୍ଟରେ ପଞ୍ଜାବରେ ଏବେ ଶାନ୍ତି ଆସିଛି। ୨୫ ହଜାର ଲୋକ ୧୯୮୦ରୁ ୧୯୯୫ ମଧ୍ୟରେ ଉଗ୍ରବାଦ ବେଳେ ପଞ୍ଜାବରେ ଶାନ୍ତି ଫେରାଇ ଆଣିବା ପାଇଁ ନିଜେ ବଳିଦାନ ଦେଇଥିଲେ ଓ ସେଥିରେ ଅଧିକାଂଶ କଂଗ୍ରେସର କର୍ମୀ ଥିଲେ। ପଞ୍ଜାବରେ ଏବେ ଯାହା ବି ଘଟୁଛି ସେଥିରେ କେବଳ ପାକିସ୍ତାନ ହିଁ ଖୁସି ଅଛି। ଏଣୁ ପାକିସ୍ତାନକୁ ଖୁସି ନ କରି ଆମେ ଦେଶ ଭିତରେ ଶାନ୍ତିର ବାତାବରଣ ସୃଷ୍ଟି କରିବା ଦରକାର ବୋଲି କହିଛନ୍ତି ମନୀଷ।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ସିଦ୍ଧୁ କଂଗ୍ରେସ ପଞ୍ଜାବର ସଭାପତି ପଦରୁ ଇସ୍ତଫା ଦେଇ ନୂଆ ଝାମେଲା ଠିଆ କରିଛନ୍ତି। ସିଦ୍ଧୁ ଇସ୍ତଫା ଦେବା ପରେ କଂଗ୍ରେସର ସ୍ଥିତି ଏବେ ଖରାପ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.