ମନମୋହନ ସିଂହଙ୍କ ଉପଲବ୍ଧି, ଆଧାର, ମନରେଗା, RTI …

ଭାରତରେ ଆର୍ଥିକ ସୁଧାରର ନିର୍ମାତା ବୋଲାଉଥିବା ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ (୨୬ ଡିସେମ୍ବର)ରେ ନିଧନ ହୋଇଛି । ୯୨ ବର୍ଷୀୟ ଶ୍ରୀ ସିଂଙ୍କୁ ଗତକାଲି ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଯୋଜନା ଆୟୋଗ ଠାରୁ ଆରମ୍ଭ କରି ଆରବିଆଇ, ଅର୍ଥ ମନ୍ତ୍ରୀ ରହିଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଦେଶକୁ ଆର୍ଥିକ ସଙ୍କଟରୁ ବାହାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ମନମୋହନ ସିଂହ ଦେଶର ଦିଶା ଓ ଦଶା ବଦଳାଇ ଦେଇଥିଲେ ।

RTI ଆଇନ :

ମନମୋହନ ସିଂହଙ୍କ ନେତୃତ୍ବରେ ଜୁନ୍ ୨୦୦୫ରେ ଆରଟିଆଇ ଆଇନ ଲାଗୁ ହୋଇଥିଲା । ଏହି ଭାବେ ସେପ୍ଟେମ୍ବର ୨୦୦୫ରେ ମନମୋହନଙ୍କ ସରକାର ରୋଜଗାର ଗ୍ୟାରେଣ୍ଟି ଯୋଜନା ଆରମ୍ଭ କରିଥିଲେ । ଏଥିପାଇଁ ଗ୍ରାମୀଣ ପରିବାକୁ ୧୦୦ ଦିନର ରୋଜଗାର ଗ୍ୟାରେଣ୍ଟି ଆଇନ ପ୍ରସ୍ତୁତ କରାଯାଇଥିଲା । ଏହାପରେ ଏହି ଯୋଜନା ମନରେଗା ନାମରେ ଜଣାଶୁଣା ହେଲା ।

ଆଧାର କାର୍ଡ :

ମନମୋହନଙ୍କ କାର୍ଯ୍ୟକାଳରେ ଜାନୁଆରୀ ୨୦୦୯ରେ ପରିଚୟ ପତ୍ର ଭାବେ ଆଧାର କାର୍ଡ ଯୋଜନା ଆରମ୍ଭ ହୋଇଥିଲା । ଆଜି ଦେଶର ସମସ୍ତ ନାଗରିକଙ୍କ ପରିଚୟ ହୋଇଛି ଆଧର କାର୍ଡ । ସେହିପରି ୨୦୧୩ରେ ଦେଶରେ ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଲାଗୁ କରାଯାଇଥିଲା ।

କୃଷି ଋଣ ଛାଡ :

୨୦୦୮ରେ ଡ. ମନମୋହନ ସିଂହଙ୍କ ସରକାର Direct Benefit Transfer ସିଷ୍ଟମ ଲାଗୁ ହୋଇଥିଲା । ଏଥିରେ ଗରିବଙ୍କୁ ମିଳୁଥିବା ପଇସା କିଭଳି ସେମାନଙ୍କ ଖାତାକୁ ବାଟମାରଣା ନ ହୋଇ ଯାଇପାରିବ, ତାହା ଦେଖାଯାଇଥିଲା । ସେହିବର୍ଷ କୃଷି ଋଣ ଛାଡ ଯୋଜନା ମଧ୍ୟ ଆରମ୍ଭ ହୋଇଥିଲା । ମନମୋହନଙ୍କ କାର୍ଯ୍ୟକାଳରେ ହିଁ ଆମେରିକା ସହିତ ସବୁଠାରୁ ବଡ ନ୍ୟୁକ୍ଲିଅର ଡିଲ୍ ହୋଇଥିଲା ।

ସୂଚନାଯୋଗ୍ୟ, ଗୁରୁବାର ରାତିରେ ଦିଲ୍ଲୀ ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ ହୋଇଛି । ତାଙ୍କ ପାର୍ଥିବ ଶରୀର ଦିଲ୍ଲୀର ମୋତିଲାଲ ନେହରୁ ରୋଡ ସ୍ଥିତ ଆବାସରେ ରଖାଯାଇଛି ।  ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମହମୋହନ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ଧରି ୟୁପିଏ ସରକାର ଅମଳରେ ସେ ପ୍ରଧାନମନ୍ତ୍ରୀ ଥିଲେ । ୧୯୯୮ରୁ ୨୦୦୪ ଯାଏ ଶ୍ରୀ ମହମୋହନ ସିଂହ ରାଜ୍ୟସଭାରେ ବିରୋଧୀ ଦଳ ମୁଖ୍ୟ ଭାବେ କାମ କରିଥିଲେ । ଚଳିତ ବର୍ଷ ସେ ରାଜ୍ୟସଭାରୁ ଅବସର ନେଇଥିଲେ ।