‘ଗ୍ରାଉଣ୍ଡ ଫ୍ଲୋରରେ କଳା ବ୍ୟାଗରେ ବୋମା ଅଛି…’, ଲକ୍ଷ୍ନୌର ୧୦ ହୋଟେଲକୁ ଧମକ, ମାଗିଲେ ୫୫ ହଜାର ଡଲାର

ଲକ୍ଷ୍ନୌରେ ଅନେକ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏହି ଧମକ ଇମେଲ୍ ଜରିଆରେ ପଠାଯାଇଛି । ଧମକ ଦେଇଥିବା ବ୍ୟକ୍ତି ୫୫ ହଜାର ଡଲାର ଅର୍ଥାତ୍ ୪୬,୨୫,୬୨୩ ଟଙ୍କା ଦାବି କରିଛନ୍ତି ।

ଲକ୍ଷ୍ନୌର ହୋଟେଲ ଫର୍ଚୁନ, ଲେମନ ଟ୍ରି, ମେରିୟଟ, ସରାକା, ପିକେଡିଲି, କମ୍ଫର୍ଟ ଭିସ୍ତା, କ୍ଲାର୍କ ଅବଧ, କାସା, ଦୟାଲ ଗେଟୱେ, ସିଲୱେଟ ଆଦି ୧୦ଟି ବଡ଼ ହୋଟେଲକୁ ବୋମା ଧମକ ମିଳିଛି ।

ଏ ନେଇ ହୋଟେଲ ସଞ୍ଚାଳକମାନେ ପୋଲିସକୁ ସୂଚନା ଦେଇଛନ୍ତି । ସହରର ମୋଟ ୧୦ଟି ହୋଟେଲକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ଧମକ ଦେଇଥିବା ବ୍ୟକ୍ତି ମେଲରେ ଲେଖିଛନ୍ତି, ‘ହୋଟେଲର ଗ୍ରାଉଣ୍ଡ ଫ୍ଲୋରରେ କଳା ବ୍ୟାଗରେ ବୋମା ଲୁଚାଯାଇଛି । ମୋତେ ୫୫,୦୦୦ ଡଲାର ଦରକାର । ନହେଲେ ମୁଁ ବୋମା ବିସ୍ଫୋରଣ କରିଦେବି । ବୋମା ନିଷ୍କ୍ରିୟ କରିବାକୁ ଚେଷ୍ଟା କଲେ ଏଥିରେ ଜୋରଦାର ବିସ୍ଫୋରଣ ହେବ’ ।

ଗତ କିଛି ମାସ ହେବ ଲଗାତାର ଭାବେ ସାରା ଦେଶରେ ବିଭିନ୍ନ ବିମାନବନ୍ଦର, ସ୍କୁଲ, କଲେଜ ଏବଂ ହୋଟେଲକୁ ବୋମା ଧମକ ମିଳୁଛି । ଗତକାଲି ମଧ୍ୟ ଗୁଜରାଟର ରାଜକୋଟରେ ୫ ଷ୍ଟାର ହୋଟେଲ ସମେତ ୧୦ ହୋଟେଲକୁ ବୋମା ଧମକ ମିଳିଥିଲା । ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ରାଜକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ଦିନ ତଳେ ତିରୁପତିର କେତେକ ହୋଟେଲକୁ ମଧ୍ୟ ଏହିପରି ଧମକ ମିଳିଥିଲା ।

You might also like