ମହାରାଷ୍ଟ୍ର : ମହାରାଷ୍ଟ୍ରର ଥାନେରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଥାନେ ଜିଲ୍ଲାର ଅମ୍ବରନାଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣା ଅମ୍ବରନାଥ ଫ୍ଲାଏଓଭରରେ ଘଟିଛି ବୋଲି ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସୂଚନାନୁଯାୟୀ, ଅମ୍ବରନାଥ ପଶ୍ଚିମରୁ ପୂର୍ବକୁ ଯାଉଥିବା ଏକ ଟାଟା ନେକ୍ସନ୍ କାର ହଠାତ୍ ନିୟନ୍ତ୍ରଣ ହରାଇ ବିପରୀତ ଦିଗରୁ ଆସୁଥିବା କେତେଗୁଡିଏ ମୋଟରସାଇକେଲ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାର ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଡ୍ରାଇଭରଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାର ସିସିଟିଭି ଫୁଟେଜ୍ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।
କାରଟି ଦ୍ରୁତ ଗତିରେ ଆସୁଥିଲା ଏବଂ ନିୟନ୍ତ୍ରଣ ହରାଇ ବିପରୀତ ଲେନକୁ ଚାଲିଗଲା ଏବଂ ସାମ୍ନା ପଟୁ ଆସୁଥିବା ବାଇକ ଆରୋହୀଙ୍କୁ ଧକ୍କା ଦେଲା । ବାଇକ ଆରୋହୀଙ୍କ ମଧ୍ୟରୁ ଜଣେ ଫ୍ଲାଏଓଭରରୁ ଛିଟିକି ପଡ଼ି ଘଟଣାସ୍ଥଳେ ମୃତ୍ୟୁବରଣ କରିଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।
ଦୁର୍ଘଟଣାରେ ଜଡିତ ଟାଟା ନେକ୍ସନ୍ ଅମ୍ବରନାଥ ଶିବସେନା ନେତା ପ୍ରମୋଦ ଚୌବେଙ୍କ ନାମରେ ଥିବା ସୂଚନା ମିଳିଛି । ଦୁର୍ଘଟଣା ସମୟରେ ତାଙ୍କ ପତ୍ନୀ ସୁମନ ଚୌବେ ମଧ୍ୟ କାରରେ ଥିଲେ । ସୁମନ ଚୌବେ ଶିବସେନା (ସିନ୍ଦେ ଗୋଷ୍ଠୀ)ରୁ ପୌର ପରିଷଦ ନିର୍ବାଚନ ଲଢ଼ିଛନ୍ତି । ପ୍ରଚାର ପାଇଁ ବୁଆପଡା ଯାତ୍ରା କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ତାଙ୍କ ହାତ ଏବଂ ଶରୀରର ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଛି । ଦୁର୍ଘଟଣା ପରେ କାର ଭିତରେ ଫସି ରହିଥିବାରୁ ସ୍ଥାନୀୟ ଲୋକମାନେ ଝରକା ଭାଙ୍ଗି ତାଙ୍କୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ଅନ୍ୟପଟେ ଡ୍ରାଇଭରଙ୍କୁ ହଠାତ୍ ହୃଦଘାତ ହୋଇଥିଲା, ଯାହା ଫଳରେ ସେ ଭୁଲବଶତଃ ଆକ୍ସିଲେଟରକୁ ଚାପି ଦେଇଥିଲେ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ପୋଲିସ ଏହି ଦାବିଗୁଡିକୁ ନିଶ୍ଚିତ କରିନାହିଁ ଏବଂ ତଦନ୍ତ ଜାରି ରହିଛି ।
Also Read : ଦୁବାଇ ଏୟାର ସୋରେ ବିମାନ ଦୁର୍ଘଟଣା, ଖସିପଡିଲା ତେଜସ ଯୁଦ୍ଧ ବିମାନ, ପାଇଲଟ ମୃତ