ଅମରନାଥ ଯାତ୍ରାବେଳେ ବଡ଼ ଦୁର୍ଘଟଣା, ୫ ଶ୍ରଦ୍ଧାଳୁ ଆହତ

ଉଧମପୁର : ଆଜି ଅମରନାଥ ଯାତ୍ରାବେଳେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର୍ ଜମ୍ମୁ-ଶ୍ରୀନଗର ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ସୂଚନାନୁଯାୟୀ, ତୀର୍ଥଯାତ୍ରୀମାନେ ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପସରୁ ପହଲଗାମ ଅଭିମୁଖେ ବାହାରିଥିବା ଗୋଟିଏ ଦଳ ଏକ କାରରେ ଯାତ୍ରା କରୁଥିଲେ । ଉଧମପୁର ଜିଲ୍ଲାର ସମରୋଲି ଅଞ୍ଚଳର ଟୋଲଡି ନାଲା ନିକଟରେ କାରଟି ହଠାତ୍ ନିୟନ୍ତ୍ରଣ ହରାଇ NH-44 ର କାନ୍ଥରେ ପିଟି ହୋଇଯାଇଥିଲା । ଫଳରେ ୫ ଜଣ ଆହତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଏହାରି ମଧ୍ୟରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ CRPF ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛି । ଯାତ୍ରା ମାର୍ଗର ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ତୀର୍ଥଯାତ୍ରୀଙ୍କ ନିରବଚ୍ଛିନ୍ନ ଗତିବିଧି ସୁନିଶ୍ଚିତ କରିବା ପାଇଁ CRPF କର୍ମଚାରୀମାନେ NH-୪୪ ରେ ନିରନ୍ତର ରୋଡ୍ ଓପନିଂ ପାର୍ଟି ଅପରେସନ୍ ପରିଚାଳନା କରୁଛନ୍ତି । ଏହା ବ୍ୟତୀତ CRPFର ୮୪ ତମ ବାଟାଲିୟନ ରାମବାନ ଜିଲ୍ଲାର ଚନ୍ଦରକୋଟରେ ଏକ ମୋବାଇଲ୍ ସ୍ୱାସ୍ଥ୍ୟ ଶିବିର ସ୍ଥାପନ କରିଛି । ଯେଉଁଠାରେ ତୀର୍ଥଯାତ୍ରୀଙ୍କ ସମେତ ସ୍ଥାନୀୟ ବାସିନ୍ଦାଙ୍କୁ ମଧ୍ୟ ୨୪ ଘଣ୍ଟାର ଚିକିତ୍ସା ଯୋଗାଇ ଦିଆଯାଉଛି ।

ଅନ୍ୟପଟେ ସ୍ବାସ୍ଥ୍ୟ ଶିବିର ୮୪ତମ ବାଟାଲିୟନର କମାଣ୍ଡର ଏନ୍.ରଣବୀର ସିଂଙ୍କ ତତ୍ତ୍ବାବଧାନରେ ପରିଚାଳିତ ହେଉଛି । ବରିଷ୍ଠ ଚିକିତ୍ସା ଅଧିକାରୀ ଡ଼.ଅନନ୍ତ କ୍ରିଷ୍ଣନଙ୍କ ନେତୃତ୍ୱରେ ଡାକ୍ତର ଏବଂ ପେରାମେଡିକାଲ ଷ୍ଟାପଙ୍କ ଦଳ ଆଡଭାନ୍ସ ଲାଇଫ୍ ସେଭିଂ ଏବଂ ଜରୁରୀ ଜୀବନରକ୍ଷକ ଔଷଧ ସହିତ ପ୍ରତି ସମୟରେ ଚିକିତ୍ସା ଯୋଗାଇଦିଆଯାଉଛି । ଯାହା ଦ୍ବାରା ଆବଶ୍ୟକତା ଅନୁସାରେ ଚିକିତ୍ସା ସୁବିଧା ଯୋଗାଇଦିଆଯାଇପାରିବ । ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ଅମରନାଥ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟ  ସେବା ପାଇଁ ଶ୍ରଦ୍ଧାଳୁ ସନ୍ତୋଷ ପ୍ରକାଶ କରିଛନ୍ତି ଏବଂ CRPFଙ୍କର ପ୍ରଶଂସା କରୁଛନ୍ତି ।

Also Read : ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର୍, ପିଲା ସହିତ ୪ ମୃତ