ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୮୦ତମ ପ୍ରକଟ ଦିବସ: ସାରା ଦେଶରେ ରୁଦ୍ରାଭିଷେକ ସମେତ ବିଭିନ୍ନ କାର୍ଯ୍ୟକ୍ରମ

ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୮୦ତମ ପ୍ରକଟ ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିହାରର ମିଥିଳାଞ୍ଚଳସ୍ଥିତ ତତ୍କାଳୀନ ଦରଭଙ୍ଗା (ବର୍ତ୍ତମାନ ମଧୁବନୀ) ଜିଲ୍ଲା ଅନ୍ତର୍ଗତ ହରିପୁର ବକ୍ସିଟୋଲ ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ୧୯୪୩ ମସିହା ଜୁନ୍‌ ୩୦, ଆଷାଢ଼ କୃଷ୍ଣ ତ୍ରୟୋଦଶୀ ତିଥି ରୋହିଣୀ ନକ୍ଷତ୍ରରେ ତାଙ୍କର ଜନ୍ମ ହୋଇଥିଲା।

ଶ୍ରୋତ୍ରୀୟ କୁଳଭୂଷଣ ଦରଭଙ୍ଗା ନରେଶଙ୍କ ରାଜପଣ୍ଡିତ ଶ୍ରୀଲାଲବଂଶୀ ଝା ଓ ତାଙ୍କ ଧର୍ମପତ୍ନୀ ଗୀତାଦେବୀଙ୍କ ଔରସରୁ ଜନ୍ମିତ ଶଙ୍କରାଚାର୍ଯ୍ୟଙ୍କ ନାଁ ନୀଳାମ୍ବର ଝା ରଖାଯାଇଥିଲା। କିନ୍ତୁ ଆଜି ଏହି ନୀଳାମ୍ବର ଝା ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନାମରେ ସାରା ବିଶ୍ୱରେ ଖ୍ୟାତ ହୋଇଛନ୍ତି। ୧୯୭୪ ମସିହା ଏପ୍ରିଲ ୧୮, ବୈଶାଖ କୃଷ୍ଣ ଏକାଦଶୀ ତିଥିରେ ହରିଦ୍ୱାରରେ ଧର୍ମସମ୍ରାଟ ସ୍ୱାମୀ କରପାତ୍ରୀ ମହାରାଜଙ୍କ ଚିନ୍ମୟ କରକମଳରୁ ସେ ସନ୍ନ୍ୟାସ ଗ୍ରହଣ କରିଥିଲେ। ସନ୍ନ୍ୟାସ ଗ୍ରହଣ ପରେ ତାଙ୍କ ନାମ ନିଶ୍ଚଳାନନ୍ଦ ସରସ୍ୱତୀ ହୋଇଥିଲା।

ପୁରୀ ମଠର ତତ୍କାଳୀନ ପୂର୍ବାଚାର୍ଯ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିରଞ୍ଜନ ଦେବ ତୀର୍ଥ ଜୀ ମହାରାଜ ୧୯୯୨ ଫେବୃଆରୀ ୯, ମାଘ ଶୁକ୍ଳ ଷଷ୍ଠୀ ତିଥିରେ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଗୋବର୍ଦ୍ଧନ ପୀଠର ୧୪୫ତମ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପଦରେ ଅଭିଷିକ୍ତ କରାଇଥିଲେ।

ପ୍ରତ୍ୟେକ ବର୍ଷ ଆଷାଢ଼ କୃଷ୍ଣ ତ୍ରୟୋଦଶୀରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରକଟ ଦିବସକୁ ରାଷ୍ଟ୍ରୋତ୍କର୍ଷ ଦିବସ ରୂପେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଦେଶ, ବିଦେଶରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଆଷାଢ଼ କୃଷ୍ଣ ତ୍ରୟୋଦଶୀ ତିଥି ଅର୍ଥାତ୍‌ ଆଜି ଛତିଶଗଡ଼ର ଭାଟାପାରାରେ ଏକ ବିଶାଳ ମହୋତ୍ସବର ଆୟୋଜନ କରାଯାଇଛି। ଶଙ୍କରାଚାର୍ଯ୍ୟଙ୍କ ଦୀର୍ଘାୟୁ ତଥା ସୁସ୍ଥ ଜୀବନ କାମନା କରି ଦେଶର ବିଭିନ୍ନ ସ୍ଥାନରେ ଜିଲ୍ଲା ଏବଂ ପଞ୍ଚାୟତ ସ୍ତରରେ ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ ପାଠ, ହୋମ, ରୁଦ୍ରାଭିଷେକ, ସତ୍‌ସଙ୍ଗ, ସଂକୀର୍ତ୍ତନ, ବୃକ୍ଷରୋପଣ, ଦରିଦ୍ରନାରାୟଣ ସେବା, ଫଳ ବିତରଣ ଆଦି କାର୍ଯ୍ୟ ଉତ୍ସାହ, ଉଦ୍ଦୀପନାର ସହ କରାଯାଉଛି।

ଏହା ପୂର୍ବରୁ ଗତ ଡିସେମ୍ବର ୧୮ରେ ଭାରତର ପଶ୍ଚିମରେ ଅବସ୍ଥିତ ଦ୍ୱାରିକାଧୀଶ ଧାମରେ ପ୍ରଥମ ହିନ୍ଦୁ ରାଷ୍ଟ୍ର ଅଧିବେଶନର ଆୟୋଜନ କରାଯାଇଥିଲା। ଦ୍ୱିତୀୟ ହିନ୍ଦୁ ରାଷ୍ଟ୍ର ଅଧିବେଶନ ଭାରତର ଉତ୍ତରରେ ଅବସ୍ଥିତ ନେପାଳର ସୀତା ଧାମ ଜନକପୁରରେ ଆୟୋଜିତ ହୋଇଥିଲା। ଏପ୍ରିଲ ୧୦ ରାମନବମୀ ଅବସରରେ ଅନ୍ତର୍ଜାତୀୟ ସ୍ତରରେ ଏହି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ଏବଂ ନେପାଳର ପ୍ରତିନିଧିମାନେ ଭାଗ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.