ହରିୟାଣା : ପଞ୍ଚକୁଲାରେ ଓଲଟିଲା ବସ୍, ୫୦ ପିଲା ଆହତ

ହରିୟାଣା ପଞ୍ଚକୁଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିଞ୍ଜୋର ନିକଟରେ ବସ୍ ଓଲଟିବା ଯୋଗୁଁ ୫୦ରୁ ଅଧିକ ପିଲା ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପିଲାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଉଦ୍ଧାର ପାଇଁ ଆସିଥିଲେ । ଏହାପରେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତ ପିଲାଙ୍କ ଚିକିତ୍ସା ଚାଲିଛି । କିଛି ପିଲାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ତେବେ ଓଭର ସ୍ପିଡ ଯୋଗୁଁ ବସ୍ଟି ଅନିୟନ୍ତ୍ରିତ ହୋଇ ଓଲଟି ପଡିଥିବା ଜଣାପଡିଛି ।
ଖବର ମୁତାବକ, ଦୁର୍ଘଟଣା ପିଞ୍ଜୋର ନିକଟ ନୋଲଟା ଗାଁ ନିକଟରେ ହୋଇଛି । ଓଭର ସ୍ପିଡ ଯୋଗୁଁ ବସ୍ ଅନିୟନ୍ତ୍ରିତ ହୋଇ ଓଲଟି ପଡିଛି । ବସ୍ରେ ଓଭରଲୋଡ ଏବଂ ରାସ୍ତା ଖାଲଖମା ହୋଇଥିବାରୁ ଏଭଳି ଅଘଟଣ ହୋଇଛି ବୋଲି ମଧ୍ୟ କୁହାଯାଉଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।
ପଞ୍ଚକୁଲା ସିଏମଓ ଡ ମୁକ୍ତା କୁମାର କହିଛନ୍ତି, ପଞ୍ଚକୁଲା ସେକ୍ଟର ୬ରେ ନାଗରିକ ହସପିଟାଲକୁ ୨୨ ଜଣ ଆହତଙ୍କୁ ଅଣାଯାଇଥିଲା । ଜଣେ ମହିଳାଙ୍କ ଉପରେ ବସ୍ ଓଲଟିବା ଯୋଗୁଁ ତାଙ୍କୁ ଚଣ୍ଡୀଗଡ ପିଜିଆଇ ରେଫର କରାଯାଇଛି । ପଞ୍ଚକୁଲା ଉପ ଜିଲ୍ଲାପାଳ କହିଛନ୍ତି କି, ଘଟଣାରେ ୫୦ ପିଲା ଆହତ ହୋଇଛନ୍ତି । ଦୁର୍ଘଟଣା ବିଷୟରେ ପ୍ରଶାସନ ତଦାରଖ କରୁଛି । ସ୍କୁଲର ବସ୍ ଏବଂ କଣ୍ଡକ୍ଟରକୁ ସସପେଣ୍ଡ କରାଯାଇଛି ।
ସୂଚନାଯୋଗ୍ୟ, ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ସ୍କୁଲ ବସ୍ ଓଲଟିବାରୁ ୫ ଜଣ ପିଲାଙ୍କ ଜୀବନ ଚାଲିଯାଇଥିଲା । ଅନେକ ପିଲା ଆହତ ହୋଇଛନ୍ତି । ଏକ ଘରୋଇ ସ୍କୁଲ ବସ୍ କନିନା ପାଖରେ ଦ୍ରୁତଗତିରେ ଯାଇଥିବାରୁ ଅନିୟନ୍ତ୍ରିତ ହୋଇ ଓଲଟିପଡିଥିଲା । ଫଳରେ ପିଲାଙ୍କୁ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଚିତ୍କାରରେ ଫାଟିପଡିଥିଲା । ସ୍ଥାନୀୟ ଲୋକ ପିଲାମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଥିଲେ ।
ଘରୋଇ ବସ୍ଟି ଜିଏଲ ପବ୍ଲିକ ସ୍କୁଲର ବୋଲି ଜଣାପଡିଥିଲା। ବସ୍ ଉହ୍ନାଣୀ ଗାଁ ପାଖରେ ପିଲାଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଇଦ ହୋଇଥିବା ବେଳେ ସରକାରୀ ଛୁଟି ଥିବା ବେଳେ କେତେକ ଘରୋଇ ସ୍କୁଲ ଖୋଲାଯାଇଥିଲା ।