ବୈବାହିକ ବଳାତ୍କାର ଅପରାଧ କି ନୁହେଁ ? ଉଚିତ ରାୟ ଶୁଣାଇ ପାରିଲେନି ଦିଲ୍ଲୀ ହାଇକୋର୍ଟ, ସୁପ୍ରିମକୋର୍ଟକୁ ଗଲା ମାମଲା

ନୂଆଦିଲ୍ଲୀ : ବୈବାହିକ ବଳାତ୍କାର ଅପରାଧ କି ନୁହେଁ ? ତାହା ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। ହାଇକୋର୍ଟର ବିଚାରପତିମାନେ ଏହି ପ୍ରସଙ୍ଗରେ ସର୍ବସମ୍ମତ ନଥିଲେ। ଏହି କାରଣରୁ ବର୍ତ୍ତମାନ ମାମଲା ତିନିଜଣିଆ ଖଣ୍ଡପୀଠକୁ ପଠାଯାଇଛି। ତେବେ ବୈବାହିକ ଜୀବନରେ ବଳାତ୍କାର ମାମଲାରେ ଜଷ୍ଟିସ୍ ରାଜୀବ ଶକଧର ଓ ଜଷ୍ଟିସ୍ ହରିଶଙ୍କରଙ୍କ ଭିତରେ ରାୟ ଶୁୁଣାଇବାକୁ ନେଇ ମତଭେଦ ରହିଥିଲା । ତେଣୁ ଏହି ମାମଲାକୁ ବଡ ବେଞ୍ଚକୁ ପଠାଇ ଦିଆଯାଇଛି ।

ସୂଚନାନୁସାରେ, ଜଷ୍ଟିସ୍ ରାଜୀବ ବୈବାହିକ ବଳାତ୍କାରକୁ ଅପରାଧ ବର୍ଗରେ ରଖିବା ସପକ୍ଷରେ ଥିଲେ। କିନ୍ତୁ ଜଷ୍ଟିସ ହରିଶଙ୍କର ଏଥିରେ ଏକମତ ହୋଇନଥିଲେ। ଷ୍ଟିସ ରାଜୀବଙ୍କ କହିବା କଥା, ପତ୍ନୀଙ୍କ ବିନା ଇଚ୍ଛାରେ ଶାରିରୀକ ସମ୍ପର୍କ ରଖିବା ଆଇନଗତ ଅପରାଧ ଅଟେ । ତେବେ ଜଷ୍ଟିସ୍ ହରିଶଙ୍କର ଏହି ମାମଲାରେ ଏକମତ ହୋଇପାରିନଥିଲେ ।

ମାରିଟାଲ୍ ରେପକୁକୁ ଅପରାଧ ବୋଲି ଘୋଷଣା କରାଯିବ କି ନାହିଁ ତାହା ଉପରେ ଦିଲ୍ଲୀ ହାଇକୋର୍ଟ ଆଜି ରାୟ ଶୁଣାଇବାର ଥିଲା। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ପୂର୍ବରୁ ଥିବା ଆଇନକୁ ସମର୍ଥନ କରିଥିଲେ କିନ୍ତୁ ପରେ ୟୁ-ଟର୍ନ ନେଇଥିଲେ ଏବଂ ଏଥିରେ ପରିବର୍ତ୍ତନ ଆଣିବାକୁ କହିଥିଲେ। ଫେବୃଆରୀ ୨୧ ରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହି ନିଷ୍ପତ୍ତି ସଂରକ୍ଷଣ କରିଥିଲେ।

ତେବେ ଏ ସମ୍ପର୍କରେ ଫେବ୍ରୁଆରୀ ମାସରେ ହୋଇଥିବା ଶୁଣାଣିରେ ସଲିସିଟର ଜେନେରାଲ ତୁଷାର ମେହେତା କୋର୍ଟଙ୍କୁ କହିଥିଲେ ଯେ ଏହି ମାମଲାରେ ସାମାଜିକ ଓ ପାରିବାରିକ ଜୀବନ ଉପରେ ପଡୁଥିବା ପ୍ରଭାବକୁ ମଧ୍ୟ ଅଧ୍ୟୟନ କରାଯିବା ଆବଶ୍ୟକ । ତା ସହିତ ଏହି ମାମଲା କାନୁନ୍, ସମାଜ, ପରିବାର ଓ ସମ୍ବିଧାନ ସହ ସମ୍ବନ୍ଧିତ । ତେଣୁ ରାଜ୍ୟ ସରକାରଙ୍କର ମଧ୍ୟ ଏ ସମ୍ପର୍କରେ ବିଚାର ଜାଣିବା ଦରକାର ବୋଲି ସେ କହିଥିଲେ ।

ବୈବାହିକ ବଳାତ୍କାରକୁ ଅପରାଧ ଭାବେ ବିବେଚନା କରାଯାଇ ନପାରେ କିନ୍ତୁ ଅନେକ ଭାରତୀୟ ମହିଳା ତଥାପି ଏହାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-5) ଅନୁଯାୟୀ, ଦେଶରେ ୨୯ ପ୍ରତିଶତରୁ ଅଧିକ ମହିଳା ଅଛନ୍ତି ଯେଉଁମାନେ ନିଜ ସ୍ୱାମୀଙ୍କ ଦ୍ୱାରା ଶାରୀରିକ କିମ୍ବା ଯୌନ ହିଂସାର ସମ୍ମୁଖୀନ ହେଉଛନ୍ତି। ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ମଧ୍ୟରେ ପାର୍ଥକ୍ୟ ଆହୁରି ଅଧିକ । ଗ୍ରାମଗୁଡିକରେ ୩୨ % ଏବଂ ସହରରେ ୨୪% ମହିଳା ଏହିପରି ଶିକାର ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.