ଇସ୍ତଫା ଦେବେ କି ଚୀନ୍ ରାଷ୍ଟ୍ରପତି? ସରକାରଙ୍କ ଜିରୋ କୋଭିଡ ନୀତି ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ

ଚୀନ୍: ଚୀନରେ ବ୍ୟାପିଲା ଗଣବିକ୍ଷୋଭ । ସରକାରଙ୍କ ଜିରୋ କୋଭିଡ ନୀତି ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ବ୍ୟାପିବାରେ ଲାଗିଛି । ସାଂଘାଇ ଓ ବେଜିଂ ସମେତ ୨୦ରୁ ଅଧିକ ସହରରେ ପ୍ରବଳ ଜନ ଆନ୍ଦୋଳନ ଦେଖିବାକୁ ମିଳିଛି । ବିକ୍ଷୋଭକାରୀ ମାନେ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି । ଆନ୍ଦୋଳନରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବି ସାମିଲ ହୋଇଛନ୍ତି ।
କାନ୍ଥବାଡରେ ନୋ ଟୁ ଲକଡାଉନ, ୟସ ଟୁ ଫ୍ରିଡମ ଭଳି ସ୍ଲୋଗାନ ଲେଖୁଛନ୍ତି । ସଂଘୁଆ ବିଶ୍ୱବିଦ୍ୟାଳର ଶତାଧିକ ଛାତ୍ରଛାତ୍ରୀ ବି ଜୋରଦାର ବିକ୍ଷୋଭ କରିଛନ୍ତି । ଜିନପିଙ୍ଗ ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ଗୁରୁବାର ଚୀନର ଅରୁମଚିରେ ଏକ ଆପାର୍ଟଣ୍ଟମେଣ୍ଟରେ ନିଆଁ ଲାଗିଥିବା ଘଟଣାରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଏହା ପରଠାରୁ ଆନ୍ଦୋଳନ ତୀବ୍ର ହେଉଛି। ‘ସି ଜିନ୍ପିଙ୍ଗ ପଦରୁ ଓହରିଯାଅ’ । ଚୀନରେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ତେଜୁଛି ସ୍ୱର ।
ଶହଶହ ଲୋକ ରାସ୍ତାକୁ ଓହ୍ଲାଇ ଜିରୋ କୋଭିଡ ନୀତିକୁ ବିରୋଧ କରୁଛନ୍ତି। ଏହାସହ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଇସ୍ତଫା ଦାବି କରୁଛନ୍ତି। କେବଳ ଚୀନର ନୁହେଁ ବିଶ୍ୱର କ୍ଷମତାଶାଳୀ ନେତାଙ୍କ ମଧ୍ୟରୁ ଜଣେ ସି ଜିନପିଙ୍ଗ। ଦେଶ ଉପରେ ତାଙ୍କର କଡ଼ା ନିୟନ୍ତ୍ରଣ ରହିଛି। ଏହାସତ୍ୱେ ତାଙ୍କ ବିରୋଧରେ ଚୀନ ଭିତରେ ବିରୋଧର ସ୍ୱର ଉଠିବା, ସାରା ବିଶ୍ୱକୁ ଚକିତ କରିଛି। କୋଭିଡ୍ ନିୟନ୍ତ୍ରଣ ପାଇଁ ଚୀନର କଡ଼ା ନୀତି ରହିଛି।
ଲକଡାଉନକୁ ବିରୋଧ ହେଉଛି । END ଲକଡାଉନ ନାରା ଦେଉଛନ୍ତି । ରାଜରାସ୍ତାକୁ ଓହ୍ଲାଇଛନ୍ତି ଚୀନବାସୀ । ସେପଟେ ଚୀନ ବାହାରକୁ ବ୍ୟାପିଲାଣି ଆନ୍ଦୋଳନ। ଲଣ୍ଡନରେ ଥିବା ଚୀନ ଦୂତାବାସ ଆଗରେ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ। ଅନେକ ପ୍ରଦର୍ଶନକାରୀ ମହମବତୀ ଓ ଫୁଲ ଜରିଆରେ ଅରୁମଚି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।