ମୁମ୍ବାଇ ଏୟାରପୋର୍ଟରେ ୬୦୦ ପଦବୀ ପାଇଁ ଅସମ୍ଭାଳ ଭିଡ, ଉପୁଜିଲା ଦଳାଚକଟା ପରିସ୍ଥିତି

ମୁମ୍ବାଇ ଏୟାରପୋର୍ଟ ପାଲଟିଲା ଜନସମୁଦ୍ର । ଏୟାର ଇଣ୍ଡିଆ ପକ୍ଷରୁ ଏୟାରପୋର୍ଟ ଲୋଡର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଥିଲା । ୬୦୦ ପଦବୀ ପାଇଁ ୨୫,୦୦୦ରୁ ଅଧିକ ଆବେଦନକାରୀ ପହଞ୍ଚିଥିଲେ । ଫଳରେ ଗହଳି ସମ୍ଭାଳିବା ଅସମ୍ଭବ ହୋଇପଡିଥିଲା । ପରିସ୍ଥିତି ଦଳଚକଟା ଭଳି ଉପୁଜିଥିଲା । ଏତେ ଭିଡକୁ ସମ୍ଭାଳିବାକୁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ପରିଶ୍ରମ କରିବାକୁ ପଡିଥିଲା ।
ଫର୍ମ କାଉଣ୍ଟର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆବେଦନକାରୀ ପରସ୍ପର ସହିତ ଠେଲାପେଲା ହୋଇଥିଲେ । ଯାହାର ଫଟୋ ଦେଖିବାକୁ ମିଳିଛି ।
ଖାଲିପଡିଥିବା ପଦବୀରେ ବିମାନ ଭିତରେ ଜିନିଷ ଚଢାଇବା ଏବଂ ଓହ୍ଲାଇବା ବ୍ୟାଗେଜ ବେଲ୍ଟ ଏବଂ ର୍ୟାମ୍ପ ଟ୍ରାକ୍ଟର ଚଲାଇବା କାମ କରିବାକୁ ପଡିଥାଏ । ପ୍ରତ୍ୟେକ ବିମାନରେ ଜିନିଷ, କାର୍ଗୋ ଏବଂ ଖାଦ୍ୟ ସପ୍ଲାଏ କରିବା ପାଇଁ ଅତିକମରେ ୫ ଜଣ ଲୋଡରଙ୍କ ଆବଶ୍ୟକତା ପଡିଥାଏ ।
ଏମାନଙ୍କର ଦରମା ୨୦,୦୦୦ରୁ ଆରମ୍ଭ କରି ୨୫,୦୦୦ ପର୍ଯ୍ୟନ୍ତ ମାସକୁ ରହିଥାଏ । କିନ୍ତୁ ଅଧିକାଂଶ ସମୟରେ ଓଭରଟାଇମ କରିବା ଯୋଗୁଁ ୩୦ ହଜାର ପର୍ଯ୍ୟନ୍ତ ରୋଜଗାର କରିହୁଏ । ତେଣୁ ଚାକିରି ପାଇବା ପାଇଁ ୬୦୦ ପୋଷ୍ଟକୁ ୨୫ ହଜାରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଆସିଥିଲେ । ଫଳରେ ଏଭଳି ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା ।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଗୁଜରାଟରେ ଏଭଳି ସ୍ଥିତି ଦେଖାଯାଇଥିଲା । ଗୁଜରାଟର ଭରୁଚ ଜିଲ୍ଲାର ଅକଳେଶ୍ୱରରେ ୪୦ ପଦବୀରେ ଓ୍ଵାକ୍-ଇନ୍-ଇଣ୍ଟଭ୍ୟୁ ପାଇଁ ପାଖାପାଖି ୮୦୦ ଲୋକ ଆସିଥିଲେ । ଏଠାରେ ମଧ୍ୟ ଠେଲାପେଲା ସ୍ଥିତି ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଇଥିଲା ।