ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର ୭୪ସ୍ଥିତ ଏକ ବାନକ୍ବେଟ ହଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ଜଣେ ଇଲେକ୍ଟ୍ରିସିଆନଙ୍କର ମୃତ୍ୟୁ ଘଟିଛି । ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଘଟଣା ସ୍ଥଳରେ ୧୫ଟି ଦମକଳ ଗାଡି ନିୟୋଜିତ ରହିଛି । ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ ।
ଖବର ଅନୁସାରେ, ନୋଏଡାର ସେକ୍ଟର -୧୧୩ ଥାନା ଅନ୍ତର୍ଗତ ସେକ୍ଟର -୭୪ରେ ନିର୍ମାଣାଧୀନ ଲୋଟସ୍ ଗ୍ରେନାଡିୟର୍ ବାନକ୍ବେଟ ହଲରେ ନିଆଁ ଲାଗିଯାଇଥିଲା । ରାତି ସାଢେ ୩ଟାରେ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗର ୧୫ଟି ଗାଡି ଗୋଟିଏ ପରେ ଗୋଟିଏ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଏହି ଘଟଣାରେ ଇଲେକ୍ଟ୍ରିସିଆନଙ୍କ ମୃତ୍ୟୁ ହୋଇଛି । ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ମୃତକ ଇଲେକ୍ଟ୍ରିସିଆନଙ୍କ ପରିଚ ପରମିନ୍ଦର(୨୫) ବୋଲି ଜଣାପଡିଛି । ସେ ୟୁପି ବାଗପତର ବୋଲି ଜଣାପଡିଛି । ନିଆଁ ଲାଗିବା ସମୟରେ ସେ ପାନେଲ ରୁମରେ ଶୋଇଥିଲେ । ଘଟଣାସ୍ଥଳରେ ନୋଏଡା ଡିସିପି, ଗୌତମବୁଦ୍ଧ ନଗର ସିଏଫଓ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ପହଞ୍ଚିଥିଲେ । ବର୍ତ୍ତମାନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ ।
ସୂଚନାଯୋଗ୍ୟ , କେରଳରେ ଅଞ୍ଜୁତମ୍ବାଲମ୍ ବିରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା । ଏହି ସମୟରେ ଆତସବାଜି ମଧ୍ୟ କରାଯାଉଥିଲା । ତେବେ ଆତସବାଜି ବେଳେ ସେଥିରୁ ନିଆଁ ଝୁଲ ଖସି ବାଣ ରଖାଯାଇଥିବା ଷ୍ଟୋରେଜ ଘରେ ପଡିଥିଲା । ଫଳରେ ଏଥିରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଦେଖୁ ଦେଖୁ ଏହା ଚାରିଆଡେ ବ୍ୟାପି ଯାଇଥିଲା । ଲୋକେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଏଥିରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ କାସରାଗୋଡ, କନ୍ନୁର ଏବଂ ମାଙ୍ଗାଲୁରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।