ଦକ୍ଷିଣ କୋରିଆ: ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୨୦ ଜଣ ଜୀବନ୍ତ ଦଗ୍ଧ

ଦକ୍ଷିଣ କୋରିଆରେ ଏକ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣାକୁ ନେଇ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସୂତ୍ରରୁ ଜଣାପଡ଼ିଛି ଯେ ଦକ୍ଷିଣ କୋରିଆରେ ଥିବା ଏକ ଲିଥିୟମ୍‌ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ସୋମବାର ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ବିଲ୍ଡିଂର ବହୁ ଉଚ୍ଚ ପର୍ଯ୍ୟନ୍ତ ନିଆଁ ଉଠୁଥିବାର ଦେଖିଯାଇଥିଲା ।

ରେସ୍‌କ୍ୟୁ ଅପରେସନ ବେଳେ ୨୦ ଜଣ ଶ୍ରମିକ ନିଖୋଜ ହୋଇଯାଇଥିଲେ । ପରେ ଏହି ସମସ୍ତ ଲୋକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ।

ଦକ୍ଷିଣ କୋରିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁତାବକ, ନିଆଁ ସକାଳ ସାଢ଼େ ୧୦ଟା ସମୟରେ ଲାଗିଥିଲା । ଏହି ଅଗ୍ନିକାଣ୍ଡ ରାଜଧାନୀ ସିଓଲର ଦକ୍ଷିଣ ହ୍ଵାସୋଙ୍ଗରେ ଥିବା ଲିଥିୟମ୍‌ ବ୍ୟାଟେରୀ ପ୍ଲାଣ୍ଟରେ ଘଟିଛି । ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଆଁ ଲାଗିବା ସମୟରେ ପାଖାପାଖି ୭୦ ଜଣ ଶ୍ରମିକ କାରଖାନାରେ ଉପସ୍ଥିତ ଥିଲେ ।

ସ୍ଥାନୀୟ ଅଧିକାରୀଙ୍କ ମୁତାବକ, ମୃତକମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଚୀନ ନାଗରିକ । ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ଯେତେବେଳେ ଶ୍ରମିକମାନେ ବ୍ୟାଟେରୀଗୁଡ଼ିକୁ ଯାଞ୍ଚ କରି ସେଗୁଡ଼ିକୁ ପ୍ୟାକ୍‌ କରୁଥିଲେ, ସେହି ସମୟରେ ଜୋର୍‌ରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ଫ୍ୟାକ୍ଟ୍ରି ଭିତରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ ଲୋକମାନେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି, ସେମାନେ ସିଡ଼ି ରାସ୍ତାରେ ବାହାରକୁ ବାହାରି ପାରି ନ ଥିଲେ ।

ଏହିପରି ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ । ଏହି କାରଖାନାରେ ଅଗ୍ନି ନିର୍ବାପକ ଯନ୍ତ୍ର ତିଆରି ହେଉଥିଲା । ନିଆଁ ଲିଭା ଅଭିଯାନରେ ପାଖାପାଖି ୨୪ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲା ।

You might also like