ରେୱାଡିର ହିରୋ କମ୍ପାନୀ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟଣା, ୭ଜଣ ଆହତ ଥିବାବେଳେ ଜଣେ ନିଖୋଜ

ହରିୟାଣା ରେୱାଡିରେ ଭୟାବହ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ବିଳମ୍ବିତ ରାତିରେ ରେୱାଡି ଜିଲ୍ଲା ସ୍ଥିତ ହିରୋ ମାଟୋକାର୍ପର ଏକ୍ସେଟେନସନ୍ ବିଲଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡରେ ଆଉ ଜଣେ ଶ୍ରମିକ ନିଖୋଜ ରହିଛନ୍ତି । ଆହତ ଶ୍ରମିକମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ରେୱାଡିର ଧାରୁଡେହା ସ୍ଥିତ ହିରୋ ମାଟୋକାର୍ପର ବିଲଡିଂ ୧୯୮୫ ନିର୍ମାଣ କରାଯାଇଥିଲା । ୨୦୦୬ ମସିହାରେ ଏକ୍ସେଟେନସନ୍ ବିଲଡିଂ ପ୍ରତିଷ୍ଠା ହୋଇଥିଲା । ଅଗ୍ନିକାଣ୍ଡ କାରଣରୁ ଏହି ବିଲ୍ଡିଂର ଛାତ ସମ୍ପୂର୍ଣ୍ଣ ରୂପେ ଭୁସୁଡିପଡିଛି । ମଙ୍ଗଳବାର ପ୍ରାୟ ୧୨ଟା ସମୟରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ରୁ ୭ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ନିଖୋଜ ରହିଛନ୍ତି । ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାରେ ବ୍ୟସ୍ତ ରହିଛି ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୭ଟି ଅଗ୍ନିଶମ ବାହିନୀ ଗାଡି ପହଞ୍ଚିଥିଲା । ପ୍ରାୟ ଦୀର୍ଘ ୩ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ଅଗ୍ନିଶମ ସେବା ବାହିନୀ ।
ଦୁର୍ଘଟଣାସ୍ଥଳକୁ ଯିବା ପାଇଁ କାହାରିକୁ ଅନୁମତି ଦିଆଯାଇନାହିଁ । କମ୍ପାନୀ ତରଫରୁ ସୁରକ୍ଷା ସେବାକୁ ବୃଦ୍ଧି କରାଯାଇଛି । ପ୍ରଶାସନ ଏବଂ କମ୍ପାନୀ ପକ୍ଷରୁ କୌଣସି ଅଧିକ ସୂଚନା ମିଳିପାରିନାହିଁ ।
Also Read : ମିଆଁମାରରେ ପୁଣି ଭୂକମ୍ପ ଝଟକା, ୫.୧ ତୀବ୍ରତାରେ ଥରିଲା