ହଳଦିଆ ରିଫାଇନେରିରେ ଭୟଙ୍କର ଅଗ୍ନିକାଣ୍ଡ, ଜାରି ରହିଛି ଉଦ୍ଧାରକାର୍ଯ୍ୟ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ହଳଦିଆ ରିଫାଇନେରିର ନାଫ୍ତା ପାଇପ ଲାଇନରେ ଭୟାବହ ଅଗ୍ନିକାଣ୍ଡ। ଅନେକ ଶ୍ରମିକ ଆହତ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି । ପଶ୍ଚିମବଙ୍ଗର ହଳଦିଆ ସ୍ଥିତ ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ରିଫାଇନେରି ପରିସରରେ ଭୋରରେ ଘଟିଛି ସାଙ୍ଘାତିକ ଦୁର୍ଘଟଣା। ରିଫାଇନେରିର ନାଫ୍ତା ପାଇପଲାଇନରେ ସକାଳ ପ୍ରାୟ ୪ଟାରୁ ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୁର୍ଘଟଣାରେ କାମ କରୁଥିବା ଅନେକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ଦମକଳ ବାହିନୀ ଓ ଜରୁରୀକାଳୀନ ଦଳ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି। ସୂଚନା ଅନୁସାରେ ନିଆଁ ଲାଗିଥବା ନାଫ୍ତା ହେଉଛି ଅତ୍ୟନ୍ତ ଜଳନଶୀଳ ପେଟ୍ରୋଲିୟମ୍ ପଦାର୍ଥ, ଯାହା ଗ୍ୟାସୋଲିନ୍ ଏବଂ ପେଟ୍ରୋକେମିକାଲ୍ସ ତିଆରିରେ ବ୍ୟବହୃତ ହୁଏ।ପାଇପଲାଇନରେ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଲିକ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ସେଠାରେ କାର୍ଯ୍ୟରତ ଅନେକ ଶ୍ରମିକ ଏହାର ପ୍ରଭାବରେ ଆସିଛନ୍ତି। କିଛି ଶ୍ରମିକ ନିଆଁରେ ପୋଡ଼ି ହୋଇଯାଇଥିବା ବେଳେ ଅନ୍ୟ କେତେକ ଘନ ଧୂଆଁ ଯୋଗୁଁ ଶ୍ୱାସକ୍ରିୟାରେ ସମସ୍ୟା ଭୋଗିଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି। ସୌଭାଗ୍ୟବଶତଃ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ଖବର ଆସିନାହିଁ। ଘଟଣାସ୍ଥଳରୁ ପ୍ରବଳ ଧୂଆଁ ବାହାରୁଥିବାରୁ ଆଖପାଖ ଅଞ୍ଚଳର ବାୟୁର ଗୁଣବତ୍ତା ଉପରେ ନଜର ରଖାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷା ଦୃଷ୍ଟିରୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଦୁର୍ଘଟଣା ଯୋଗୁଁ ଆଞ୍ଚଳିକ ଇନ୍ଧନ ଯୋଗାଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ଆଇଓସି ପକ୍ଷରୁ ଖୁବ୍ ଶୀଘ୍ର ବିବୃତ୍ତି ଜାରି କରାଯିବ।

Also Read : ଏୟାରକ୍ରାଫ୍ଟ ଦୁର୍ଘଟଣା, ଟ୍ରେନି ମହିଳା ପାଇଲଟ୍ ଗୁରୁତର ଆହତ