ରୁର୍‌କୀରେ ଚିତ୍ରାଙ୍କନ ସାମଗ୍ରୀ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୬୫ ବର୍ଷୀୟ ଚୌକିଦାର ଜୀବନ୍ତ ଦଗ୍ଧ

ଉତ୍ତରାଖଣ୍ଡର ରୁର୍‌କୀରେ ବୁଧବାର ବିଳମ୍ବିତ ରାତିରେ ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ କାବୁ କରିଥିଲେ। କିନ୍ତୁ ଏହି ସମୟରେ ନିଆଁ ସଂସ୍ପର୍ଶରେ ଆସି ୬୫ ବର୍ଷୀୟ ଚୌକିଦାର ଆୟୁବ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସିଭିଲ ହସ୍ପିଟାଲକୁ ପଠାଯାଇଛି। ସେପଟେ ଏହି ଅଗ୍ନିକାଣ୍ଡ ଯୋଗୁ କାରଖାନା ନିକଟରେ ତିଆରି ଘରେ ମଧ୍ୟ ଫାଟ ସୃଷ୍ଟି ହୋଇଛି।

ସୂଚନା ମୁତାବକ, ରୁର୍‌କୀର ଗୁଲାବ ନାଗର ଅଞ୍ଚଳରେ କାୟୁମ୍‌ ନାମକ ଯୁବକଙ୍କର ଚିତ୍ରାଙ୍କନ ସାମଗ୍ରୀ ତିଆରିର ଏକ କାରଖାନା ଥିଲା। କାରଖାନାରେ ବୁଧବାର ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏ ନେଇ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା କ୍ଷଣି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ନିଆଁକୁ ଆୟତ୍ତ କରିପାରି ନ ଥିଲେ। ଦେଖୁ ଦେଖୁ ନିଆଁ ଭୀଷଣ ରୂପ ଧାରଣ କରିଥିଲା।

ନିଆଁକୁ ଆୟତ୍ତ କରିବା ପାଇଁ ଅନ୍ୟ ସ୍ଥାନରୁ ଦମକଳ ଗାଡ଼ି ଡକାଇବାକୁ ପଡ଼ିଥିଲା। ଏହି ସମୟରେ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ନିଆଁ ହୁଳା ଉଠୁଥିବାର ଦେଖି ଆଖାପାଖ ଅଞ୍ଚଳରେ ରହୁଥିବା ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଗୁରୁବାର ସକାଳ ସୁଦ୍ଧା ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ଲାଗିଥିଲେ। ଏହାରି ଭିତରେ ଅଗ୍ନିକାଣ୍ଡ ଘଟିଥିବା କାରଖାନାରୁ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳୁଥିଲା।

କୁହାଯାଉଛି କି, କାରଖାନାରେ ୫ କିଲୋର ଗ୍ୟାସ ସିଲିଣ୍ଡର ମଧ୍ୟ ଥିଲା, ଯାହାକି ନିଆଁ ସଂସ୍ପର୍ଶରେ ଆସି ଫାଟି ଯାଇଥିଲା। ଖବର ମୁତାବକ, ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ମାମଲାର ତଦନ୍ତ କରାଯାଉଛି।