ଉଜ୍ଜୈନ ମହାକାଳେଶ୍ବର ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ, କଣ୍ଟ୍ରୋଲ ରୁମ୍ ବ୍ୟାଟେରୀ ଜଳିପୋଡ଼ି ପାଉଁଶ

ମଧ୍ୟପ୍ରଦେଶ ଉଜ୍ଜୈନ ସ୍ଥିତ ଶ୍ରୀ ମହାକାଳେଶ୍ୱର ମନ୍ଦିର ପରିସରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମନ୍ଦିରର ଶଙ୍ଖ ଦ୍ବାରା ଉପରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ନିଆଁର ଧୂଆଁ ୧ କିଲୋମିଟର ଦୂରରୁ ମଧ୍ୟ ଦେଖାଯାଉଥିଲା । ଧୂଆଁ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଘଟଣା ଯୋଗୁଁ ମନ୍ଦିରରେ ଦର୍ଶନ କିଛି ସମୟ ପାଇଁ ବନ୍ଦ ରହିଥିଲା ।

ନିଆଁ ଲାଗିବା ପରେ ମହାକାଳ ମନ୍ଦିର ସମିତିର ଅଧିକାରୀ ଏବଂ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ସୂଚନା ପାଇଁ ଘଟଣା ସ୍ଥଳରେ ୪ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ୨୦ ମିନିଟ ପର୍ଯ୍ୟନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ନିଆଁ ମନ୍ଦିରର ସିସିଟିଭି କଣ୍ଟ୍ରୋଲ ରୁମ ଉପରେ ରଖାଯାଇଥିବା ବ୍ୟାଟେରୀରୁ ଲାଗିଥିଲା ।

ଉଜ୍ଜୈନ ଜିଲ୍ଲା କଲେକ୍ଟର ରୋଶନ ସିଂହଙ୍କ ଅନୁସାରେ, ଘଟଣାଟି ସୋମବାର ଦିନ ପ୍ରାୟ ୧୨:୪୫ ରେ ଘଟିଥିଲା । ଅଗ୍ନିକାଣ୍ଡ ଯୋଗୁଁ ମହାକାଲେଶ୍ୱର ମନ୍ଦିରରେ ଦର୍ଶନ କିଛି ସମୟ ପାଇଁ ବନ୍ଦ ରହିଥିଲା । ସୁରକ୍ଷା ଦୃଷ୍ଟିରୁ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ପରିସରରୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ।

ତେବେ ନିଆଁ ଲାଗିବା ଯୋଗୁଁ ପଲ୍ୟୁସନ ବୋର୍ଡର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ ସିଷ୍ଟମ ଲାଗିଥିବା ସ୍ଥାନ ନଷ୍ଟ ହୋଇଯାଇଛି । ସବୁକିଛି ଜଳି ପାଉଁଶ ହୋଇଯାଇଥିବା ଖବର ମିଳିଛି । ବର୍ତ୍ତମାନ ବ୍ୟାଟେରୀରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ ।

Also Read : ମୁଣ୍ଡ ନୁଆଁଇଲେ ମମତା, ଶେଷରେ ହଟିଲା ‘ଜଗନ୍ନାଥ ଧାମ’ ଲେଖା