ମରାମତି ସମୟରେ ଆଇଏନଏସ ବ୍ରହ୍ମପୁତ୍ରରେ ଭୀଷଣ ଅଗ୍ନିକାଣ୍ଡ, ଜୁନିଅର ସେଲର ନିଖୋଜ

ଭାରତୀୟ ନୌସେନାର ଯୁଦ୍ଧ ପୋତ ଆଇଏନଏସ ବ୍ରହ୍ମପୁତ୍ରରେ ଲାଗିଲା ନିଆଁ । ଚାହୁଁ ଚାହୁଁ ନିଆଁର ପ୍ରକୋପ ବଢ଼ିଚାଲିଲା । ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଆଁ ଲାଗିବାରୁ ଜଣେ ଜଣେ ଜୁନିୟର ସେଲର ନିଖୋଜ ହୋଇଛନ୍ତି । ତେବେ ମୁମ୍ବାଇରେ ଥିବା ନୌସେନା ଡକୟାର୍ଡରେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗି ଯୁଦ୍ଧ ପୋତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜୁନିୟର ସେଲର ନିଖୋଜ ହୋଇଯାଇଛନ୍ତି । ଆଉ ତାଙ୍କୁ ଠାବ କରିବା ପାଇଁ ନୌସେନା ପକ୍ଷରୁ ଉଦ୍ୟମ ଜାରି ରହିଛି ।

ସୂଚନା ଅନୁସାରେ ସେନା ପାଇଁ ଏକାଧିକ କାର୍ଯ୍ୟ କରୁଥିବା ଆଇଏନଏସ୍ ବ୍ରହ୍ମପୁତ୍ରରେ କିଛି ମରାମତି କାମ ଚାଲିଥିଲା । ରବିବାର ନୌସେନା ଡକୟାର୍ଡରେ କାମ ଚାଲିଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗିଥିଲା । ଜାହାଜର କ୍ରୁ ସଦସ୍ୟ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଛନ୍ତି । ସେମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବନ୍ଦରରେ ଥିବା ଅନ୍ୟ କୌଣସି ଜାହାଜ କିମ୍ବା ଡକୟାର୍ଡକୁ ନିଆଁ ବ୍ୟାପି ନଥିଲା । ନିଆଁକୁ ଆୟତ୍ତ କରାଯାଇଥିଲେ ହେଁ ଯୁଦ୍ଧ ପୋତ ଗୋଟିଏ ସାଇଡକୁ ଢ଼ଳି ଯାଇଛି । ସବୁ ଚେଷ୍ଟା ସତ୍ତ୍ୱେ ଜାହାଜ ସିଧା ହୋଇପାରୁନି । ଭୀଷଣ ଅଗ୍ନିକାଣ୍ଡରେ ଜାହାଜରେ ଅନେକ କ୍ଷତି ହୋଇଛି । ଘଟଣାର ଯାଞ୍ଚ ପାଇଁ ନୌସେନା ନିର୍ଦ୍ଦେଶ ଦେଇଛି ।

ନିଆଁ ଆୟତ୍ତ ହେବା ପରେ ଯାଞ୍ଚ ଓ ଅନ୍ୟାନ୍ୟ କାମ ଜାରି ରହିଛି । ନିଆଁ ଆୟତ୍ତ ହୋଇଯାଇଥିଲେ ହେଁ ଏଯାଏଁ ଜୁନିୟର ସେଲରଙ୍କ ପତ୍ତା ମିଳିନାହିଁ । ତାଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏପଟେ ରକ୍ଷା ମନ୍ତ୍ରୀଙ୍କୁ କ୍ଷୟକ୍ଷତି ବିଷୟରେ ଅବଗତ କରିଛନ୍ତି ନୌସେନା ମୁଖ୍ୟ ।

ଆଇଏନଏସ ବ୍ରହ୍ମପୁତ୍ର ହେଉଛି ଭାରତରେ ତିଆରି ହୋଇଥିବା ପ୍ରଥମ ଗାଇଡ୍ ମିସାଇଲ୍ ଯୁଦ୍ଧ ଜାହାଜ । ବ୍ରହ୍ମପୁତ୍ର ଜାହାଜରେ ୪୦ ଜଣ ଅଧିକାରୀ ଏବଂ ୩୩୦ ନାବିକଙ୍କ ଏକ ଦଳ ଅଛି । କୁହାଯାଉଛି ଯେ ଏହି ଜାହାଜର ଓଜନ ପ୍ରାୟ ୫,୩୦୦ ଟନ୍ ହେବ । ଏହାର ଦୈର୍ଘ୍ୟ ୧୨୫ ମିଟର ଏବଂ ମୋଟେଇ ୧୪.୪ ମିଟର ରହିଛି । ଏହି ଯୁଦ୍ଧ ଜାହାଜ ମଧ୍ୟମ ସୀମା ଏବଂ ବିମାନ ବିରୋଧୀ ବନ୍ଧୁକରେ ଭରି ରହିଛି । ଏଥିରେ ଗ୍ରାଉଣ୍ଡ-ଟୁ-ଗ୍ରାଉଣ୍ଡ ଏବଂ ଭୂପୃଷ୍ଠରୁ ବାୟୁକୁ କ୍ଷେପଣାସ୍ତ୍ର ଛାଡ଼ିବା ପାଇଁ ବ୍ୟବସ୍ଥା ରହିଛି । ଏପରିକି ଏଥିରେ ଟାର୍ପିଡୋ ଲଞ୍ଚର ମଧ୍ୟ ରହିଛି ।

ଆଇଏନଏସ ବ୍ରହ୍ମପୁତ୍ର ଅନେକ ବଡ଼ ବଡ଼ ସାମରିକ ଅଭିଯାନର ଏକ ଅଂଶ । ଜୁଲାଇ ୨୦୦୬ରେ ଅପରେସନ୍ ସୁକୁନ୍ ର ଟାସ୍କଫୋର୍ସରେ ବ୍ରହ୍ମପୁତ୍ରକୁ ସାମିଲ କରାଯାଇଥିଲା । ଜୁଲାଇ ୨୦୦୯ ରେ ମଧ୍ୟ ୟୁରୋପରେ ନିୟୋଜିତ ହୋଇଥିବା ଭାରତୀୟ ନୌସେନା ଟାସ୍କ ଫୋର୍ସର ବ୍ରହ୍ମପୁତ୍ର ଏକ ଅଂଶ ଥିଲା । ଏହି ଟାସ୍କଫୋର୍ସ ରୟାଲ୍ ନେଭି ଏବଂ ଫ୍ରାନ୍ସିସ୍‌ ନୌସେନା ସହିତ ମିଳିତ ଅଭ୍ୟାସରେ ଭାଗ ନେଇଥିଲା ।

୨୦୧୬ରେ ମଧ୍ୟ ଏଭଳି ଏକ ସମାନ ଘଟଣା ଘଟିଥିଲା । ସେତେବେଳେ ଆଇଏନଏସ ବେଟୱା ମରାମତି କରାଯାଉଥିବା ସମୟରେ ମୁମ୍ବାଇର ନୌସେନା ଡକଓ୍ଵାର୍ଡରେ ଏହା ଓଲଟି ପଡ଼ିଥିଲା । ଏହି ଘଟଣାରେ ଦୁଇଜଣ ନାବିକଙ୍କର ମୃତ୍ୟୁ ଘଟିଥିଲା ।