ଶାହାରୁଖ ଓ ସଲମାନଙ୍କ ଠୁ ବି ଇମ୍ରାନ୍ ଜଣେ ବଡ଼ କଳାକାର, ଗୁଳିମାଡ଼କୁ ଡ୍ରାମା ବୋଲି କହି ବର୍ଷିଲେ ମୌଲାନା ଫଜହଲ ରେହମାନ

ଇସଲାମାବାଦ: ଜାମିଅତ୍‌ ଉଲେମା-ଇସଲାମ (ଏଫ) ମୁଖ୍ୟ ମୌଲାନା ଫଜହଲ ରେହମାନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଉପରେ ବର୍ଷିଛନ୍ତି। ରେହମାନ କହିଛନ୍ତି, ଇମ୍ରାନ ଜଣେ ବହୁତ ବଡ଼ ଅଭିନେତା। ସେ ଶାହରୁଖ ଓ ସଲମାନଙ୍କୁ ମଧ୍ୟ ପଛରେ ପକାଇଦେବେ। ଇମ୍ରାନଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ପ୍ରାୟୋଜିତ। ପିଟିଆଇର ଏହା ଏକ ଡ୍ରାମା ବୋଲି ରେହମାନ କହିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ)ର ଏହି ପଦଯାତ୍ରାକୁ ବିଫଳ ଯାତ୍ରା ବୋଲି ସେ କହିଛନ୍ତି।

ଇସଲାମାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜାମିଅତ ଉଲେମା-ଇସଲାମ ମୁଖ୍ୟ ମୌଲାନା ଫଜଲୁର ରେହମାନ କହିଛନ୍ତି, ଯେତେବେଳେ ଆମେ ଜାଣିବାକୁ ପାଇଲୁ ଯେ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଛି। ଆମେ ଚିନ୍ତିତ ହେବା ସହ ସମବେଦନା ଜଣାଇଥିଲୁ। କିନ୍ତୁ ବର୍ତ୍ତମାନ ଆମେ ହୃଦୟଙ୍ଗମ କରିଛୁ ଯେ ଏହା ପିଟିଆଇ ଦ୍ୱାରା କରାଯାଇଥିବା ଏକ ହାଇ ଡ୍ରାମା।

ସେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ସରକାରଙ୍କୁ କଠୋର ହେବାକୁ କହିଛନ୍ତି। କାହାକୁ ପାକିସ୍ତାନ ସହ ଖେଳିବାକୁ ଦିଆଯିବା ଉଚିତ ନୁହେଁ। ବର୍ତ୍ତମାନ ସେମାନଙ୍କୁ ଆଦୌ ଦୟା ଦେଖା ହେବନି ବୋଲି ରେହମାନ୍‌ କହିଛନ୍ତି।

ସୂଚନାଯୋଗ୍ୟ, ୱାଜିରାବାଦରେ ଇମ୍ରାନ୍‌ଙ୍କ ପଦଯାତ୍ରାରେ ଗୁରୁବାର ଇମ୍ରାନ ଖାନ୍‌ଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରାଯାଇଥିଲା। ତାଙ୍କ ଗୋଡ଼ରେ ୮ଟି ଗୁଳି ବାଜିଥିଲା। ଅସ୍ତ୍ରୋପଚାର ପରେ ତାଙ୍କ ଗୋଡ଼ରୁ ଗୁଳି ବାହାର କରାଯାଇଛି। ଏହି ଆକ୍ରମଣ ପାଇଁ ଇମ୍ରାନ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ଆଇଏସଆଇର ବରିଷ୍ଠ ଅଧିକାରୀ ମେଜର ଜେନେରାଲ ଫୈସଲ ନାସିରଙ୍କୁ ଦାୟୀ କରିଛନ୍ତି।

ତେବେ ଇମ୍ରାନ ଘୋଷଣା କରିଛନ୍ତି ଯେ ରାଜଧାନୀ ଇସଲାମାବାଦ ଅଭିମୁଖେ ତାଙ୍କ ପଦଯାତ୍ରା ମଙ୍ଗଳବାର ସହରର ସେହି ସ୍ଥାନରୁ ଆରମ୍ଭ ହେବ ଯେଉଁଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା।

Also Read: ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ଦାମ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.