ୱାୟନାଡ ଭୂସ୍ଖଳନ ସ୍ଥଳରେ ଚାଲିଛି ଉଦ୍ଧାର, ଏବେ ଚର୍ଚ୍ଚାରେ ମାୟା ଓ ମର୍ଫିଙ୍କ ଯୋଡ଼ି

ୱାୟନାଡ: ଏବେ ସମସ୍ତଙ୍କର ଆଲୋଚନାର କେନ୍ଦ୍ରବିନ୍ଦୁ ୱାୟନାଡ ଭୂସ୍ଖଳନ । ୱାୟନାଡର ଭୟାନକ ଭୂସ୍ଖଳନରେ ବଢୁଛି ମୃତ୍ୟୁ ସଂଖ୍ୟା । ଧ୍ୱଂସସ୍ତୂପ ତଳୁ ବାହାରିବାରେ ଲାଗିଛି ମୃତଦେହ । ଏଯାଏ ୩୧୬ ମୃତଦେହ ଉଦ୍ଧାର ହେଲାଣି । ୧୫୦୦ରୁ ଅଧିକଙ୍କୁ ମାଟିତଳୁ ଉଦ୍ଧାର କରାଯାଇଛି । ତେବେ ଏହାରି ଭିତରେ ଏବେ ଚର୍ଚ୍ଚାରେ ମାୟା ଓ ମର୍ଫି ଯୋଡ଼ି । ଏମାନେ  ହେଉଛନ୍ତି ବେଲଜିୟମର ମିଲୋନୋଇସ ବ୍ରିଡର ଏହି ସ୍ନିଫର୍ ଡଗ୍ । ଯାହାଙ୍କର ବୟସ ୫ବର୍ଷ । ଦୀର୍ଘ ଚାରି ବର୍ଷ ଧରି ଏମାନଙ୍କୁ ଦିଆଯାଉଛି ପ୍ରଶିକ୍ଷଣ ।

କେରଳ ପୋଲିସର ଏହି ସ୍ୱତନ୍ତ୍ର ପ୍ରଶିକ୍ଷିତ ସନ୍ଧାନୀ କୁକୁର ୧୦ରୁ ଊର୍ଦ୍ଧ୍ୱ ମୃତଦେହକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ୱାୟନାଡର ମୁଣ୍ଡକାଇ ଅଞ୍ଚଳରେ ଏହି ଯୋଡ଼ି ଉଦ୍ଧାରକାରୀ ଦଳଙ୍କୁ ମାଟି ତଳେ ପୋତି ହୋଇଥିବା ଅନେକ ମୃତଦେହର ସନ୍ଧାନ କରିବାରେ ସଫଳ କରାଇଛନ୍ତି । ପଞ୍ଜାବ ହୋମଗାର୍ଡର ଏହି ଦୁଇ ସ୍ଵତନ୍ତ୍ର ସନ୍ଧାନୀ ଯୋଡ଼ି ୨୦୨୦ରେ କେରଳ ପୋଲିସରେ ଯୋଗ ଦେଇଥିଲେ । ତାଙ୍କ ଟ୍ରେନର ପ୍ରତାପଙ୍କ ସହ ମାୟା ଓ ମର୍ଫି କାମ କରୁଛନ୍ତି ।

ତେବେ ଆସନ୍ତୁ ଜାଣିବା କିପରି ମାଟି ତଳେ ଥିବା ମୃତଦେହ ଚିହ୍ନଟ କରନ୍ତି ମାୟା ଓ ମର୍ଫି:

ଏମାନଙ୍କୁ ଏଥି ପାଇଁ ମଣିଷ ରକ୍ତ ଓ ଦାନ୍ତକୁ ନେଇ ପ୍ରଶିକ୍ଷଣ ଦିଆଯାଇଥାଏ । ସେଥିପାଇଁ ପ୍ରୟୋଗ ଶାଳାରୁ ସ୍ଵତନ୍ତ୍ର ଭାବେ ଏକ ସେଣ୍ଟ ପ୍ରସ୍ତୁତ କରାଯାଏ । ଏହାକୁ ତୁଳାରେ ଭିଜା ଯାଇ ମାଟି ତଳେ ପୋତା ଯାଇଥାଏ । ଏହି କୃତ୍ରିମ ଅତରକୁ ଡିପ ଫ୍ରିଜରରେ ତିନି ମାସ ଧରି ରଖିବା ପରେ ଟ୍ରେନିଂ ପାଇଁ ବ୍ୟବହାର କରାଯାଏ ।

ଚାରି ବୁନ୍ଦା ଏହି କୃତ୍ରିମ ଅତରର ଦାମ ୧୦ ହଜାର ଟଙ୍କା । ୨୦୨୦ରୁ ଟ୍ରେନିଂ ସମୟରେ କେରଳରେ ଅନେକ ଥର ସଫଳତାର ସହ ମୃତଦେହ ସନ୍ଧାନ କରିଛନ୍ତି ଏହି ଯୋଡି। ନିଜର ଅସାଧାରଣ ଘ୍ରାଣ ଶକ୍ତି, ବିଚକ୍ଷଣ ବୁଦ୍ଧିମତ୍ତା ଓ କୌଶଳରେ ସମସ୍ତଙ୍କୁ ବିମୋହିତ କରିଛନ୍ତି ମାୟା ଓ ମର୍ଫି । ପ୍ରଶିକ୍ଷକ ପ୍ରତାପଙ୍କ ସହ ନିରନ୍ତର ଅପରେସନରେ ରହି ମାଟି ତଳୁ ଖୋଜୁଛନ୍ତି ମୃତଦେହ।

ଏପଟେ ସୂଚନା ଥାଊକି, ଗତରାତିରେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ହେବାପରେ ଆଜି ସକାଳେ ପୁଣିଥ‌ରେ ଆରମ୍ଭ ହୋଇଛି । ଚରମ ପ୍ରତିକୂଳ ପାଣିପାଗ ଉକ୍ତ ଅଞ୍ଚଳରେ ଉଦ୍ଧାର ଅଭିଯାନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ମେଜର ଜେନେରାଲ ମନୋଜ ମାଥ୍ୟୁଙ୍କ ନେତୃତ୍ୱରେ ‌ସେନା‌ ଏକ କମାଣ୍ଡ ଏବଂ କଣ୍ଟ୍ରୋଲ୍‌ ସେଣ୍ଟର ପ୍ରତିଷ୍ଠା କରିଛି । ମେପାଡ଼ି -ଚୁରାଲମାଲା ରୋଡ୍‌ରେ ସେନା ଦ୍ୱାରା ଅସ୍ଥାୟୀ ବ୍ରିଜ୍‌ ନିର୍ମାଣ ଶେଷ ହୋଇଛି।

ଉଦ୍ଧାରଙ୍କୁ ବାୟୁସେନାର ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଇ ସ୍ଵତ୍ତନ୍ତ୍ର ରେସ୍କ୍ୟୁ କ୍ୟାମ୍ପରେ ରଖାଯାଇଛି । କେରଳ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ କ୍ରମେ ଚାରି ଜଣ କ୍ୟାବିନେଟ୍ ମନ୍ତ୍ରୀ ୱାୟନାଡରେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ଏପଟେ ସମସ୍ତଙ୍କୁ କେରଳ ସରକାର ଅନୁରୋଧ କରିଛନ୍ତି କେରଳ ନ ଆସିବାକୁ । ବ୍ଲାକ ଟୁରିଯିମ୍ ବୋଲି ଅଭିହିତ କରି କେରଳ ସରକାର ଗଣମାଧ୍ୟମ, ରାଜନେତାଙ୍କୁ ମଧ୍ୟ ନ ଆସିବାକୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବା ଦର୍ଶାଇ ବ୍ଲାକ ଟୁରିଯିମରୁ ବଞ୍ଚିତ ରହିବାକୁ ଅନୁରୋଧ କରାଯାଇଛି ।

 

You might also like