ଏଣିକି ମହିଳାଙ୍କୁ ଆରାମ ଦେଇ ଘରର ସବୁ କାମ କରିବେ ପୁରୁଷ, ଖୁବ୍‌ଶୀଘ୍ର ଦିଆଯିବ ତାଲିମ; ଦେଶର ଏହି ରାଜ୍ୟରେ ଆରମ୍ଭ ହେଉଛି ନିଆରା ଅଭିଯାନ

ମହିଳାଙ୍କ ଭଳି ପୁରୁଷମାନେ ମଧ୍ୟ ଏଣିକି ଘରର ସବୁ ଦାୟିତ୍ୱ ନେବେ। ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ଠୁ ଆରମ୍ଭ କରି ବାସନ ମାଜିବା, ଘର ସଫା କରିବା ପର୍ଯ୍ୟନ୍ତ, ସବୁକିଛି ସମ୍ଭାଳିବେ। ଦେଶରେ ଏମିତି ପ୍ରଥମ ଥର ଏବେ କେରଳ ରାଜ୍ୟରେ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ଘରର କିଚେନରେ ପୁରୁଷମାନେ ଏହି ସବୁ କାର୍ଯ୍ୟର ତାମିଲ ନେଉଥିବାର ନଜର ଆସିବେ, ଯାହାର ଅର୍ଥ ହେଉଛି, ଘର କାମ ଏବେ କେବଳ ମହିଳାମାନଙ୍କର ଦାୟିତ୍ୱ ହୋଇ ରହିବନି। ଏହା କେରଳ ସରକାରଙ୍କ ଉଚ୍ଚାଭିଳାଷୀ ଯୋଜନା ‘ସ୍ମାର୍ଟ କିଚେନ ପ୍ରୋଜେକ୍ଟ’ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

ଘର କାମରେ ମହିଳାଙ୍କ ସହ ପୁରୁଷ ଓ ଯୁବା ପିଲାଙ୍କୁ ବରାବର ଦାୟିତ୍ୱ ଦେବା ଏବଂ ମହିଳାମାନଙ୍କୁ ଆରାମ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘ସ୍ମାର୍ଟ କିଚେନ ପ୍ରୋଜେକ୍ଟ’ରେ ଏହାକୁ ସାମିଲ କରିଛନ୍ତି। ଯୋଜନାର ପ୍ରଥମ ପର୍ଯ୍ୟାୟ ପାଇଁ ସରକାର ୫ କୋଟି ଟଙ୍କାର ପାଣ୍ଠି ମଧ୍ୟ ସ୍ଥିର କରିଛନ୍ତି। ଏହି ପ୍ରୋଜେକ୍ଟ ଅଧୀନରେ ବିଶେଷଜ୍ଞ ରୋଷେୟାମାନେ ଘରର ପୁରୁଷମାନଙ୍କୁ ରନ୍ଧନ ତାଲିମ ଦେବେ। ଏଥି ସହିତ ସେମାନଙ୍କୁ ବାସନ ସଫାସୁତରା ରଖିବା ଏବଂ ଘର, ରୋଷେଇ ଘର ଆଦିର ଦାୟିତ୍ୱ ସମ୍ଭାଳିବା କଥା ମଧ୍ୟ ଶିଖାଯିବ। ସେହିପରି ସରକାରଙ୍କର ଏଜୁକେଶନ ସ୍ୟାଟେଲାଇଟ ଚ୍ୟାନେଲ ‘Victors.tv’ ମାଧ୍ୟମରେ ପିଲାମାନଙ୍କୁ ବି ରନ୍ଧନ କଳା ଶିଖାଇବା ପାଇଁ ଯୋଜନା କରାଯାଇଛି। ଏହି ପଦକ୍ଷେପର ଆଦର୍ଶ ଉକ୍ତି ‘Participatory Cooking ଏବଂ Interesting Cooking’ ରଖାଯାଇଛି। କୁକିଙ୍ଗ୍‌ରେ ଭଲ ପ୍ରଦର୍ଶନ କରିଥିବା ପିଲାମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ।

ଏତଦ୍‌ ବ୍ୟତୀତ ଲିଙ୍ଗଗତ ସମାନତାକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସ୍କୁଲ ଏବଂ କଲେଜ ପାଠ୍ୟକ୍ରମରେ ମଧ୍ୟ ପରିବର୍ତ୍ତନ ଅଣାଯିବାକୁ ଯୋଜନା ହୋଇଛି। ଏହା ସମ୍ବନ୍ଧିତ ବିଷୟଗୁଡ଼ିକ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ। ଯଦିଓ ଗତ ଜୁଲାଇ ମାସରୁ ଏହି ପ୍ରୋଜେକ୍ଟର କାର୍ଯ୍ୟକାରିତା ଆରମ୍ଭ ହେବାର ଥିଲା। କିନ୍ତୁ କରୋନା କାରଣରୁ ଏଥିରେ ବିଳମ୍ବ ହୋଇଛି। ସରକାର ପ୍ରୋଜେକ୍ଟକୁ ଅପଡେଟ୍‌ କରିବା ପାଇଁ ବିଭାଗୀୟ ସଚିବ ସ୍ତରରେ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ିଥିଲେ। ପ୍ରୋଜେକ୍ଟର ମନିଟରିଙ୍ଗ୍‌ ଏବଂ ବ୍ୟୟ ଉପରେ ନଜର ରଖିବା ପାଇଁ କମିଟିକୁ ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାକୁ କେରଳର ଷ୍ଟେଟ୍‌ ଫାଇନାନ୍ସିଆଲ ଏଣ୍ଟରପ୍ରାଇଜେସ୍‌ର ନେତୃତ୍ୱରେ ଆରମ୍ଭ କରାଯାଉଛି।

ଘରୋଇ ଉପକରଣ ପାଇଁ ମିଳିବ ଋଣ

ଏହି ପ୍ରୋଜେକ୍ଟ ଅଧୀନରେ ଘରୋଇ ଉପକରଣ ଏବଂ ବାସନ କିଣିବା ପାଇଁ ସରକାରଙ୍କ ତରଫରୁ ଋଣ ମଧ୍ୟ ପ୍ରଦାନ କରାଯିବ। ଦୁର୍ବଳ ଶ୍ରେଣୀର ଲୋକଙ୍କ ଠାରୁ ସୁଧ ନିଆଯିବ ନାହିଁ। ସ୍ୱାମୀ ଓ ସ୍ତ୍ରୀଙ୍କ ମିଳିତ ନାମରେ ଏହି ଋଣ ଦିଆଯିବ। ଋଣ ପରିଶୋଧର ଅବଧି ୧ରୁ ୫ ବର୍ଷ ରହିବ। ଏହା ପଛର ଉଦ୍ଦେଶ୍ୟ ହେଉଛି କି, ଘରୋଇ ଉପରକରଣ ବଜାରରେ ସରକାରୀ ହସ୍ତକ୍ଷେପ ଦ୍ୱାରା ବେସରକାରୀ କ୍ଷେତ୍ରର ଋଣଦାତାମାନଙ୍କର ମନମାନି ଉପରେ ରୋକ୍‌ ଲାଗିବ। କାହିଁକିନା, ସେମାନେ ଅଧିକ ସୁଧ ହାର ନେଉଛନ୍ତି।

Leave A Reply

Your email address will not be published.