ଅନ୍ଧବିଶ୍ୱାସ ଯୋଗୁଁ ପ୍ରସୂତିଙ୍କ ଶବକୁ କାନ୍ଧ ଦେଲେନି ପୁରୁଷ, ମହିଳାମାନେ କଲେ ଅନ୍ତିମ ସଂସ୍କାର

ଛତିଶଗଡ : ମଣିଷ ଏକବିଂଶ ଶତାବ୍ଦୀରେ ରହି ମଧ୍ୟ ଅନ୍ଧବିଶ୍ୱାସ ଭିତରେ ରହିଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଛତିଶଗଡର କାଙ୍କରର ତୁମସନାର ଗ୍ରାମରେ। ଏଠାରେ ଏହି ଅନ୍ଧବିଶ୍ୱାସ ଯୋଗୁଁ ଜଣେ ମୃତ ପ୍ରସୂତିଙ୍କ ଶବକୁ କାନ୍ଧରେ ନେବା ଏବଂ ଅନ୍ତିମ ସଂସ୍କାର କରିବା ପାଇଁ ମନା କରିଦେଇଥିଲେ। ଏହା ପରେ ମହିଳାମାନେ ଏକଜୁଟ ହୋଇ ଉକ୍ତ ପ୍ରସୂତିଙ୍କ ଶବକୁ କାନ୍ଧରେ ନେଇ ଜଙ୍ଗଲରେ ପୋତିଥିଲେ। ଏଠାରେ ଅନ୍ଧବିଶ୍ୱାସ ରହିଛି ଯେ, କୌଣସି ପ୍ରସୂତିଙ୍କ ଶବକୁ ଗାଁରେ ପୋତିବା ଦ୍ୱାରା ସେମାନେ ଭୂତ ହୋଇ ବୁଲିଥାନ୍ତି।

ସୂଚନାଯୋଗ୍ୟ, ତୁମସନାର ସୁକମୋତିନ କାଙ୍ଗୋ (୩୨) ରାଜସ୍ଥାନର ପଙ୍କଜ ଚୌଧୁରୀଙ୍କୁ ୨୦୧୬ରେ ବିବାହ କରିଥିଲେ। ସୁକମୋତିନ ଗର୍ଭବତୀ ହେବା ପରେ ସ୍ଥାନୀୟ ଜିଲ୍ଲା ହସପିଟାଲକୁ ପ୍ରସବ ପାଇଁ ଯାଇଥିଲେ। ୧୫ ଅକ୍ଟୋବରରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ, ଯିଏ ପ୍ରସବ ହେବାର ଅଧ ଘଣ୍ଟା ପରେ ମରିଯାଇଥିଲା। ପିଲାର ମୃତ୍ୟୁ ଖବର ଶୁଣି ସୁକମୋତିନ ମଧ୍ୟ ପ୍ରାଣ ହାରିଥିଲେ। ପରେ ସୁକମୋତିନି ପ୍ରାଣ ହାରିବା ପରେ ତାଙ୍କ ଶବକୁ ଗାଁ ଲୋକେ ପୋତିବା ପାଇଁ ନେବାକୁ ମନା କରିଦେଇଥିଲେ। ଫଳରେ ଗାଁର ମହିଳାମାନେ ଏକଜୁଟ ହୋଇ ତାଙ୍କ ଶବକୁ କାନ୍ଧରେ ନେଇ ଗାଁ ପାଖରେ ଥିବା ଜଙ୍ଗଲରେ ପୋତିଥିଲେ।