ଏବେ ବୁଝାମଣାର ସମୟ ନୁହେଁ, ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ । ସେ କହିଛନ୍ତି ଯେ ଏବେ ବୁଝାମଣାର ସମୟ ନୁହେଁ । ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଅ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରେଭନ୍ତ ରେଡ୍ଡୀଙ୍କ ନେତୃତ୍ବରେ ହାଇଦ୍ରାବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି ।

ଏହି ଅବସରରେ ସେ ୧୯୬୭ ଓ ୧୯୭୧ରେ ପାକିସ୍ତାନୀ ବିରୋଧରେ ଭାରତର ବିଜୟକୁ ସେ ମନେପକାଇଥିଲେ । କହିଥିଲେ, ଇନ୍ଦିରା ଗାନ୍ଧୀଙ୍କ ସାହସିକତା ଯୋଗୁ ପାକିସ୍ତାନଠୁ ବାଂଲାଦେଶକୁ ଅଲଗା କରାଯାଇପାରିଥିଲା । ଭାରତର ପ୍ରଧାନମନ୍ତ୍ରୀଙ୍କୁ ମୋର କେବଳ ଗୋଟିଏ ଅନୁରୋଧ, ଆମେ ଏକାଠି ହୋଇ ଦେଶବାସୀଙ୍କ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବା । ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ୧୪୦ କୋଟି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥୀରେ ଅଛନ୍ତି । ଏବେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନର ସମୟ ଆସିଛି । ପାକକୁ ମୁହଁତୋଡ଼ ଜବାବ ଦିଅ । ପାକିସ୍ତାନକୁ ଦୁଇ ଭାଗ କର । ପିଓକେକୁ ଭାରତରେ ମିଶାଅ ବୋଲି ରେଭନ୍ତ ରେଡ୍ଡୀ ଆହ୍ବାନ ଦେଇଛନ୍ତି ।

ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଆତଙ୍କବାଦୀ ବିରୋଧରେ ଲଢ଼େଇ ପାଇଁ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି । ଏହି ଅବସରରେ ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । କହିଛନ୍ତି, ପହଲଗାମରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏଭଳି କାପୁରୁଷଜନିତ ହିଂସା ଅତ୍ୟନ୍ତ ନିନ୍ଦନୀୟ । ମୃତକଙ୍କ ପରିବାର ପ୍ରତି ଆନ୍ଧ୍ର ସରକାର ଓ ରାଜ୍ୟବାସୀ ରହିଛନ୍ତି । ଭାରତର ସୁରକ୍ଷାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଣ୍ଣାୟକ ନେତୃତ୍ୱକୁ ଆମେ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ ବୋଲି ସେ କହିଛନ୍ତି ।

 

ଆହୁରି ପଢ଼ନ୍ତୁ :  ଆତଙ୍କୀ ନିପାତରେ ଭାରତକୁ ସହାୟତା କରିବ ଆମେରିକା : ତୁଳସୀ ଗବାର୍ଡ