ସାଉଦି ଆରବରେ ଘାତକ MERS କରୋନା ଭାଇରସ୍ ଚିହ୍ନଟ, ୧ ମୃତ; ଚେତାବନୀ ଦେଲା ଡବ୍ଲ୍ୟୁଏଚ୍ଓ
ସାଉଦି ଆରବରେ ଦେଖାଦେଇଛି ଏକ ନୂଆ ଭାଇରସ୍ । ରାଜଧାନୀ ରିୟାଦରେ ମିଡିଲ୍-ଇଷ୍ଟ୍ ରେସ୍ପିରେଟୋରୀ ସିଣ୍ଡ୍ରୋମ୍ (MERS) କରୋନା ଭାଇରସ୍ର ୩ଟି ମାମଲା ମିଳିଛି, ଯାହାକି ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି ।
ସାଉଦି ଆରବରେ ଦେଖାଦେଇଛି ଏକ ନୂଆ ଭାଇରସ୍ । ରାଜଧାନୀ ରିୟାଦରେ ମିଡିଲ୍-ଇଷ୍ଟ୍ ରେସ୍ପିରେଟୋରୀ ସିଣ୍ଡ୍ରୋମ୍ (MERS) କରୋନା ଭାଇରସ୍ର ୩ଟି ମାମଲା ମିଳିଛି, ଯାହାକି ସାରା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ଘାତକ ଭାଇରସ୍ର ଏ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରି ନ ଥିବାବେଳେ ଏହାର କୌଣସି ଟିକା ମଧ୍ୟ ପ୍ରସ୍ତୁତ ହୋଇନାହିଁ ।
ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)କୁ ଏହା ବିଷୟରେ ସୂଚନା ଦେଇଛି । ମନ୍ତ୍ରଣାଳୟ କହିଛି ଯେ ଏପ୍ରିଲ ୧୦ରୁ ୧୭ ମଧ୍ୟରେ ଦେଶରେ ବିପଜ୍ଜନକ ତଥା ଦ୍ରୁତ ଗତିରେ ବ୍ୟାପିଥିବା ମିଡିଲ୍-ଇଷ୍ଟ୍ ରେସ୍ପିରେଟୋରୀ ସିଣ୍ଡ୍ରୋମ୍ କରୋନା ଭାଇରସର ୩ଟି ମାମଲା ଦେଖିବାକୁ ମିଳିଥିଲା । ଏଥିମଧ୍ୟରୁ ଜଣେ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
WHO ତରଫରୁ ଜାରି ବୁଲେଟିନ୍ରେ କୁହାଯାଇଛି ଯେ ସମସ୍ତ ୩ଟି ମାମଲା ରାଜଧାନୀ ରିୟାଦରୁ ଆସିଛି । ଏଥିରେ ଜଣେ ହେଲେ ବି ମହିଳା ସଂକ୍ରମିତ ନାହାନ୍ତି । MERSରେ ସଂକ୍ରମିତ ଲୋକଙ୍କ ବୟସ ୫୬ରୁ ୬୦ ବର୍ଷ ମଧ୍ୟରେ ରହିଛି । ଏହା ବ୍ୟତୀତ ସମସ୍ତ ସଂକ୍ରମିତ ପୂର୍ବରୁ ହିଁ ଅସୁସ୍ଥ ଥିଲେ । ସେମାନଙ୍କ ମଧ୍ୟରୁ କେହି ବି ସ୍ୱାସ୍ଥ୍ୟ ସେବା କର୍ମଚାରୀ ନ ଥିଲେ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି, ବର୍ଷ ଆରମ୍ଭରେ ସାଉଦି ଆରବରେ ମୋଟ ୫ଟି MERS କରୋନା ମାମଲା ରିପୋର୍ଟ କରାଯାଇଥିଲା । ସେଥିମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।
MERS ଏକ ଭାଇରାଲ୍ ସଂକ୍ରମଣ । ଏଥିରେ ଶିକାର ପ୍ରାୟ ୩୬ ପ୍ରତିଶତ ପୀଡିତଙ୍କର ମୃତ୍ୟୁ ଘଟିଛି । ଯଦିଓ କିଛି ଲୋକ ଦାବି କରନ୍ତି ଯେ ପ୍ରକୃତ ସଂଖ୍ୟା ଆହୁରି ଅଧିକ । କାରଣ, MERS-CoVର ସାମାନ୍ୟ ମାମଲା ବର୍ତ୍ତମାନର ଯାଞ୍ଚ ପ୍ରଣାଳୀରୁ ବଞ୍ଚିତ ହୋଇପାରେ । ମୃତ୍ୟୁ ସଂଖ୍ୟା ହସ୍ପିଟାଲ ଏବଂ ଲାବୋରେଟୋରୀ ତଥ୍ୟ ଉପରେ ଆଧାରିତ ହୋଇଥାଏ ।
କହି ରଖୁଛୁ ଯେ ଏହି ଭାଇରସ୍ ପାଇଁ ଏ ପର୍ଯ୍ୟନ୍ତ କୌଣସି ଟିକା କିମ୍ବା ଚିକିତ୍ସା ବାହାରି ନାହିଁ । ତଥାପି MERS-CoVର ନିର୍ଦ୍ଦିଷ୍ଟ ଟିକା ଏବଂ ଚିକିତ୍ସା ବିକାଶ କରାଯାଉଛି । ଲୋକମାନେ ଡ୍ରୋମେଡାରୀ ଓଟର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂସ୍ପର୍ଶରେ ଆସିବା ଦ୍ୱାରା MERS-CoVର ଶିକାର ହୁଅନ୍ତି । ଓଟ ହିଁ ଏହି ଭାଇରସ୍ ବିସ୍ତାରର ପ୍ରାକୃତିକ ଉତ୍ସ । MERS-CoVରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ବିସ୍ତାର ହେବାର କ୍ଷମତା ରହିଛି ।