CISFର ଦୁଇଟି ନୂଆ ବାଟାଲିୟନକୁ ମଞ୍ଜୁରୀ ଦେଲା ଗୃହ ମନ୍ତ୍ରଣାଳୟ, ଏତେ ହଜାର ଯୁବକଙ୍କୁ ମିଳିବ ନିଯୁକ୍ତି

ବିସ୍ତାର ହେବ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) । ଏଥିପାଇଁ ଦୁଇଟି ନୂଆ ବାଟାଲିୟନ ଗଠନକୁ ଅନୁମୋଦନ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) । ଏହି ନିଷ୍ପତ୍ତି ଦ୍ୱାରା CISFର କ୍ଷମତାକୁ ଆହୁରି ବଢ଼ାଯିବା ସହିତ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବାରେ ବହୁ ସାହାଯ୍ୟ ମିଳିବ । ସବୁଠାରୁ ବଡ଼ କଥା ହେଉଛି, ଦୁଇଟି ନୂଆ ବାଟାଲିୟନ ଗଠନ ହେଲେ ୨୦୦୦ରୁ ଅଧିକ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏହି ଅନୁମୋଦନ ପରେ ସିଆଇଏସଏଫର ମୋଟ କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ଯାଏ ପହଞ୍ଚିଯିବ । ଫୋର୍ସ ଉପରେ ବଢ଼ୁଥିବା ଦାୟିତ୍ୱ ଏବଂ ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଗୃହ ମନ୍ତ୍ରଣାଳୟର ଏହି ପଦକ୍ଷେପ ଦ୍ୱାରା ସମୁଦାୟ ୨୦୫୦ ନୂତନ ପଦବୀ ସୃଷ୍ଟି ହେବ । ପ୍ରତ୍ୟେକ ବାଟାଲିୟନରେ ୧୦୨୫ଟି ପଦ ରହିବ । ଏହା ଦ୍ୱାରା କେବଳ ସିଆଇଏସଏଫର ଶକ୍ତି ବଢ଼ିବ ନାହିଁ, ବରଂ କର୍ମଚାରୀଙ୍କ ମଧ୍ୟରେ କାର୍ଯ୍ୟର ଚାପ ମଧ୍ୟ ହ୍ରାସ ପାଇବ ।

ସିଆଇଏସଏଫର ଆଇଜି ଅଜୟ ଡାହିୟା କହିଛନ୍ତି, ନୂତନ ବାଟାଲିୟନ ଗଠନ ଦ୍ୱାରା କର୍ମଚାରୀଙ୍କ ଉପରେ କାର୍ଯ୍ୟର ବୋଝ ରହିବ ନାହିଁ ଏବଂ ସେମାନେ ଅଧିକ ଛୁଟି ପାଇବାର ଅବସର ପାଇବେ ।

ନିକଟରେ ସିଆଇଏସଏଫରେ ମହିଳା ବାଟାଲିୟନ ଗଠନକୁ ମଧ୍ୟ ଅନୁମୋଦନ ମିଳିଥିଲା । ବର୍ତ୍ତମାନ ଫୋର୍ସରେ ମହିଳାଙ୍କ ଭାଗୀଦାରୀ ମାତ୍ର ୭% ରହିଛି । ମହିଳା ବାଟାଲିୟନ ଗଠନର ଉଦ୍ଦେଶ୍ୟ ହେଉଛି, CISFରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବା ଏବଂ ମହିଳାଙ୍କ ସଂଖ୍ୟା ବଢ଼ାଇବା ।

୧୯୬୯ ମସିହାରେ ଗଠିତ CISF ପାଖରେ ଏବେ ୧୨ ରିଜର୍ଭ ବାଟାଲିୟନ ରହିଛି, ଯେଉଁଥିରେ ପ୍ରତ୍ୟେକରେ ୧୦୨୫ କର୍ମଚାରୀ ଅଛନ୍ତି । ଦେଶରେ ୬୮ ସିଭିଲ୍ ଏୟାରପୋର୍ଟର ସୁରକ୍ଷା ବ୍ୟତୀତ ଏହା ଆଣବିକ ଏବଂ ଏରୋସ୍ପେସ୍ କ୍ଷେତ୍ରର ଅନେକ ପ୍ରତିଷ୍ଠାନ, ତାଜମହଲ ଓ ଲାଲ୍ କିଲ୍ଲା ଭଳି ଐତିହାସିକ ସ୍ମାରକୀକୁ ଆତଙ୍କବାଦ ବିରୋଧୀ ସୁରକ୍ଷା ପ୍ରଦାନ କରିଥାଏ ।