ଆଉ ନାହିଁ ‘ଜୁମ୍’; ସହିଦ ହୋଇଗଲା ଭାରତୀୟ ସେନାର ଏହି ଯୋଦ୍ଧା କୁକୁର, ଆତଙ୍କବାଦୀଙ୍କ ଗୁଳିର ହୋଇଥିଲା ଶିକାର
ଭାରତୀୟ ସେନାର ଯୋଦ୍ଧା କୁକୁର ‘ଜୁମ୍’ ସହିଦ ହୋଇଯାଇଛି। ଶ୍ରୀନଗରସ୍ଥିତ ୫୪ ଆଡ୍ଭାନ୍ସଡ ଫିଲ୍ଡ ଭେଟନାରୀ ହସ୍ପିଟାଲ (54 AFVH)ରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ଆଜି ୧୩ ଅକ୍ଟୋବର ଅପରାହ୍ନ ୧୧ଟା ୪୫ ମିନିଟ୍ରେ ଜୁମ୍ ସବୁଦିନ ପାଇଁ ଆଖି ବୁଜି ଦେଇଛି। ବେଲ୍ଜିୟନ ମାଲିନୟ ବ୍ରିଡ୍ର ଏହି କୁକୁର କିଛିଦିନ ତଳେ ଅନନ୍ତନାଗରେ ଏକ ଘରେ ଲୁଚି ରହିଥିବା ଦୁଇ ଆତଙ୍କବାଦୀଙ୍କ ଉପରେ ଘାତକ ଆକ୍ରମଣ କରିଥିଲା, ଯାହାପରେ ଭାରତୀୟ ସେନାର ଯବାନମାନେ ଆତଙ୍କବାଦୀ ଦ୍ୱୟଙ୍କୁ ମାରିବାରେ ସକ୍ଷମ ହୋଇଥିଲେ।
ସୂଚନାଥାଉ କି, ଆତଙ୍କବାଦୀ ମୁକାବିଲା ନିମନ୍ତେ ଉତ୍ତର କମାଣ୍ଡର ୧୫ତମ କର୍ପସ୍ରେ ଜୁମ୍କୁ ନିୟୋଜିତ କରାଯାଇଥିଲା। ଏହି ମୁକାବିଲା ସମୟରେ ହିଁ ଆତଙ୍କବାଦୀମାନେ ଜୁମ୍ ଉପରକୁ ଦୁଇଟି ଗୁଳି ମାରିଥିଲେ। ଗୁଳିମାଡ଼ରେ ଜୁମ୍ ଗୁରୁତର ଭାବେ ଆହତ ହୋଇଥିଲା। ତା’ ମୁହଁର ଅବସ୍ଥା ବିଗିଡ଼ି ଯାଇଥିବା ବେଳେ ତା’ ପଛ ଗଛରେ ଗୋଟିଏ ଗୁଳି ବାଜିଥିଲା। ଜୁମ୍ର ବୟସ ଅଢ଼େଇ ବର୍ଷ ଥିଲା। ସେ ୧୦ ମାସରୁ ହିଁ ଭାରତୀୟ ସେନାର ଉତ୍ତର କମାଣ୍ଡରେ ୧୫ତମ କର୍ପସ୍ ପାଇଁ ନିୟୋଜିତ ଥିଲା।
ଯେତେବେଳେ ଜୁମ୍ର କାହାଣୀ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଲା, ସେବେଠାରୁ ଲୋକମାନେ ତା’ର ଆରୋଗ୍ୟ କାମନା କରି ଆସୁଥିଲେ। କିନ୍ତୁ ଶତଚେଷ୍ଟା ସତ୍ତ୍ୱେ ଜୁମ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇପାରି ନ ଥିଲା। ଜୁମ୍କୁ କେବଳ ଆତଙ୍କବାଦୀଙ୍କୁ କାବୁ କରିବା ଏବଂ ସେମାନଙ୍କୁ ମାରିବାର ଟ୍ରେନିଂ ଦିଆଯାଉଥିଲା।
#UPDATE | Army dog Zoom, under treatment at 54 AFVH (Advance Field Veterinary Hospital ), passed away around 12 noon today. He was responding well till around 11:45 am when he suddenly started gasping & collapsed: Army officials
He had received 2 gunshot injuries in an op in J&K pic.twitter.com/AaEdKYEhSh
— ANI (@ANI) October 13, 2022
୧୫ତମ କର୍ପସ୍ର ପ୍ରବକ୍ତା କହିଛନ୍ତି ଯେ ଜୁମ୍ ବହୁତ ଲୁଚାଛପା ଏବଂ ବୀରତାର ସହିତ ଏହି ଯୁଦ୍ଧ ଲଢ଼ିଥିଲା। ସେ ଆତଙ୍କବାଦୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଖିନ୍ଭିନ୍ କରି ପକାଇଥିଲା। ସେମାନଙ୍କୁ ଡରାଇ ଦେଇଥିଲା। ପରେ ଆମ ରେଡ୍ ଟିମ୍ ଉଭୟ ଆତଙ୍କବାଦୀଙ୍କୁ ମାରିବାରେ ସକ୍ଷମ ହୋଇଥିଲେ। ଏହି ଆକ୍ରମଣରେ ଭାରତୀୟ ସେନାର ମଧ୍ୟ ଜଣେ ଯବାନ ଆହତ ହୋଇଛନ୍ତି।