ମିଆଁମାର ସେନା ପକ୍ଷରୁ ବିଦ୍ରୋହୀଙ୍କ ଉପରେ ବିମାନ ଆକ୍ରମଣ, ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି

 

ନୂଆଦିଲ୍ଲୀ : ମିଆଁମାର ସେନା ପକ୍ଷରୁ ବିଦ୍ରୋହୀଙ୍କ ଉପରେ ଆକ୍ରମଣ ବଢି ଚାଲିଛି | ଏପରି କି ନିଜ ଦେଶର ଲୋକମାନଙ୍କ ଉପରେ ବି ବିମାନ ଆକ୍ରମଣ କରିବାକୁ ପଛଉ ନାହିଁ ସେନା | ରବିବାର ରାତିରେ କାଚିନ୍ ମୁକ୍ତି ସଂଗଠନର ପ୍ରତିଷ୍ଠା ଉତ୍ସବ ପାଳନ କରିବାକୁ ଏକତ୍ରିତ ହୋଇଥିବା ଶହ ଶହ ଲୋକଙ୍କ ଉପରେ ମିଆଁମାର ସେନା ବିମାନ ଆକ୍ରମଣ କରିଥିଲା । ଏଥିରେ ବିଦ୍ରୋହୀଙ୍କ ସମେତ ସାଧାରଣ ଲୋକେ ବି ଥିଲେ । ତେବେ ବିଦ୍ରୋହୀଙ୍କୁ ଆତଙ୍କବାଦୀ ବୋଲି ଘୋଷଣା କରିଛି ମିଆଁମାର ସେନା ।

ଉତ୍ତର କାଚିନ୍ ରାଜ୍ୟରେ ମିଆଁମାର ସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି । ଏଥିରେ ପ୍ରାୟ ଶହେ ଲୋକ ଆହତ ହୋଇଛନ୍ତି । ମିଆଁମାରର ଶାସକ ଜେନେରାଲମାନେ ଯୁଦ୍ଧ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ମାନବ ଅଧିକାର ସଂସ୍ଥାମାନେ କହିଛନ୍ତି । ଏଣୁ ଏହି ଦେଶକୁ ଅସ୍ତ୍ରଶସ୍ତ୍ର ଓ ଇନ୍ଧନ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ସେମାନେ ଦାବି କରିଛନ୍ତି ।

କାଚିନ ମୁକ୍ତି ସଂଗଠନର ଦାବି ଅନୁସାରେ ପ୍ରାୟ ୫୦୦ ଲୋକ ଏହି ସମାରୋହରେ ସାମିଲ ହୋଇଥିଲେ ଓ ସେନା ବିମାନରୁ ସେମାନଙ୍କ ଉପରେ ୪ଟି ବୋମା ପକାଇଥିଲା । ମୃତାହତଙ୍କ ସଂଖ୍ୟା ଦୃଷ୍ଟିରୁ ଗତ ଫେବୃଆରୀ ୨୦୨୧ ରେ ମିଆଁମାରର ସେନା କ୍ଷମତା ହାସଲ କରିବା ପରଠାରୁ ଏହାକୁ ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.