ଚୀନର ଜୁଲମ୍‌! ମେଟାଲ ବାକ୍ସରେ କଏଦ ରହିଛନ୍ତି ଲକ୍ଷ ଲକ୍ଷ ଗର୍ଭବତୀ, ଶିଶୁ ଓ ବୃଦ୍ଧ; ଏଠାକାର କୋଭିଡ୍‌ ନିୟମ ଜାଣିଲେ ଆପଣଙ୍କ ଛାତି ବି ଥରି ଉଠିବ

ଚୀନରୁ ବାହାରିଥିବା କରୋନା ଭାଇରସ ପୂରା ବିଶ୍ୱକୁ ଧ୍ୱଂସ ପଥରେ ନେଇ ଚାଲିଛି। ଏଥିରେ କୋଟି କୋଟି ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ଜୀବିକା ଚାଲି ଯାଇଛି। କରୋନା ଲୋକଙ୍କୁ ବେରୋଜଗାର କରି ଦେଇଛି। ଦୁଇ ବର୍ଷ ହେବ ଏହି ଭାଇରସ୍‌ ଲୋକଙ୍କୁ ବନ୍ଦୀ କରି ରଖିଛି। ଏବେ ଏହାର ଓମିକ୍ରନ୍ ଭାରିଆଣ୍ଟ ପୁଣିଥରେ ବିଶ୍ୱରେ ଗୁରୁତର ବିପଦ ସୃଷ୍ଟି କରିଛି। ବହୁ ସଂଖ୍ୟକ କରୋନା ପଜିଟିଭ୍ ବାହାରୁଛନ୍ତି। ଚୀନ୍ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ସେଠାରେ ମଧ୍ୟ ପରିସ୍ଥିତି ଖରାପ ହେବାରେ ଲାଗିଛି। ସ୍ଥିତି ବିଗୁଡ଼ୁଥିବାର ଦେଖି ଚୀନ ଜିରୋ କୋଭିଡ୍ ପଲିସି ଅଧୀନରେ ନିଜ ଦେଶର ନାଗରିକଙ୍କ ଉପରେ କ୍ୱାରେଣ୍ଟାଇନକୁ ନେଇ ଅନେକ କଠୋର ନିୟମ ଲାଗୁ କରି ଦେଇଛି। ଏହା ସହ ଜଡିତ ଏକ ଭିଡିଓ ଖୁବ୍‌ ମାତ୍ରାରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ମେଟାଲ ବାକ୍ସରେ କରାଯାଉଛି କଏଦ

ସୋସିଆଲ ମିଡିଆରେ ଚୀନର କଠୋର କ୍ୱାରେଣ୍ଟାଇନ ନିୟମ ସହ ଜଡିତ କିଛି ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓଗୁଡିକରେ ଆପଣ ଦେଖି ପାରିବେ ଯେ କେଉଁଭଳି ଏଠାରେ ମେଟାଲ ବାକ୍ସ ଭିତରେ କ୍ୱାରେଣ୍ଟାଇନ ରୁମ୍ ତିଆରି କରାଯାଇଛି। ସଂକ୍ରମିତ କିମ୍ବା ସେମାନଙ୍କ ଆଖପାଖର ଲୋକଙ୍କୁ ଏହି ବାକ୍ସ ଭିତରେ ବନ୍ଦୀ କରି ରଖାଯାଉଛି। ଏଠାରେ ପ୍ରତାଡ଼ିତ ଗର୍ଭବତୀ ମହିଳା, ଶିଶୁ ଏବଂ ବୃଦ୍ଧ ବ୍ୟକ୍ତିମାନଙ୍କୁ ମଧ୍ୟ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ମେଟାଲ ବାକ୍ସରେ ଲୋକଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରଖାଯାଉଛି। ଏଥିରେ କାଠ ନିର୍ମିତ ଖଟ ଏବଂ ଶୌଚାଳୟର ସୁବିଧା ଦିଆଯାଇଛି।

ହଠାତ୍ ଘର ଛାଡ଼ିବାକୁ କୁହାଯାଉଛି

ରିପୋର୍ଟ ଅନୁଯାୟୀ, ଯଦି କୌଣସି ଅଞ୍ଚଳରେ କୋଭିଡର ଜଣେ ବି ରୋଗୀ ମିଳୁଛନ୍ତି, ତ ପୂରା ଅଞ୍ଚଳର ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖି ଦିଆଯାଉଛି। ପ୍ରଶାସନିକ ଦଳ ମଧ୍ୟରାତ୍ରିରେ ଆସୁଛି ଏବଂ ସେମାନଙ୍କୁ ବସରେ ଭର୍ତ୍ତି କରି କ୍ୱାରେଣ୍ଟାଇନ କ୍ୟାମ୍ପକୁ ନେଇ ଯାଉଛି। ସେମାନଙ୍କୁ ହଠାତ୍ ହିଁ ଘର ଛାଡ଼ିବାକୁ କୁହାଯାଉଛି। କହି ରଖୁଛୁ କି, ଚୀନରେ କରୋନାର ପ୍ରଥମ ଲହର ପରଠାରୁ ହିଁ କୋଭିଡର କଠୋର ନିୟମ ଲାଗୁ ରହିଛି। ଏଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ମୋବାଇଲରେ ‘ଟ୍ରାକ୍ ଆଣ୍ଡ ଟ୍ରେସ୍ ଆପ୍’ ରଖିବାକୁ ପଡ଼ୁଛି। ଏହା ମାଧ୍ୟମରେ ଯେତେବେଳେ ସଂକ୍ରମିତ ବ୍ୟକ୍ତି ମିଳନ୍ତି, ତ ତାଙ୍କ ଆଖପାଖର ସମସ୍ତ ଲୋକଙ୍କୁ ସହଜରେ ଜଣାପଡ଼ି ଯାଇଥାଏ ଏବଂ ତାଙ୍କୁ ତୁରନ୍ତ କ୍ୱାରେଣ୍ଟିନ କ୍ୟାମ୍ପ୍‌କୁ ପଠାଇ ଦିଆଯାଇଥାଏ।

ନିଜ ଘରେ ହିଁ ବନ୍ଦୀ ହୋଇ ରହିଛନ୍ତି ଲୋକେ

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚୀନରେ ପାଖାପାଖି ୨ କୋଟି ଲୋକଙ୍କୁ ସେମାନଙ୍କ ଘରେ ହିଁ କଏଦ କରି ଦିଆଯାଇଛି। ଏପରି କି, ଲୋକଙ୍କୁ ଖାଦ୍ୟପେୟ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ପାଇଁ ବାହାରକୁ ଯିବାକୁ ମଧ୍ୟ ଦିଆଯାଉ ନାହିଁ। ବିଗତ ଦିନରେ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ଯିବାକୁ ସୁଦ୍ଧା ଅନୁମତି ଦିଆଯାଇ ନ ଥିଲା, ଯଦ୍ଦ୍ଵାରା ତାଙ୍କର ଗର୍ଭପାତ ହୋଇ ଯାଇଥିଲା। ଏଠି କଠୋର କୋଭିଡ ଗାଇଡଲାଇନ୍ସକୁ ନେଇ ବିବାଦ, ବିତର୍କ ଚାଲିଛି। ଟ୍ୱିଟରରେ ଅନେକ ଲୋକ ଚୀନର କୋଭିଡ ନୀତି ଏବଂ ଏହା ନାଁରେ ଲୋକଙ୍କୁ ପ୍ରତାଡ଼ିତ କରାଯାଉଥିବାର ଭିଡିଓ ସେୟାର କରିବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.