ଲକ୍ଷ୍ନୌ : ଅଭଦ୍ରାମୀର ସୀମା ଟପିଲେ ଯୁବକ, ବାଇକରେ ଯାଉଥିବା ଯୁବତୀଙ୍କ ଉପରକୁ ଫିଙ୍ଗିଲେ ବର୍ଷା ପାଣି, ୪ ଗିରଫ

ଅଭଦ୍ରତାର ସବୁ ସୀମା ଟପିଗଲେ ଯୁବକ । ବର୍ଷା ପରେ ବାଇକରେ ଯାଉଥିବା ଯୁବତୀଙ୍କ ଉପରକୁ ଫିଙ୍ଗିଲେ ପାଣି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଗୋମତି ନଗରରେ ଘଟିଛି ଏଭଳି କିଛି ଲଜ୍ଜାଜନକ ଘଟଣା । ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।
ଖବର ମୁତାବକ, ବୁଧବାର ଲକ୍ଷ୍ନୌରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଆମ୍ବେଦକର ନଗର ପାର୍କ ସାମ୍ନାରେ ଥିବା ରାସ୍ତାରେ ପାଣି ଜମି ରହିଥିଲା । ଏଠାରେ ଥିବା କିଛି ଯୁବକ ରାସ୍ତାରେ ଯାଉଥିବା ସମସ୍ତ ଗାଡି ଚାଳକଙ୍କୁ ହଇରାଣ କରୁଥିଲେ । ଏହି ସମୟରେ ଜଣେ ମହିଳା ଯୁବକଙ୍କ ସହିତ ବାଇକରେ ଯାଉଥିବା ବେଳେ ଜମିଥିବା ପାଣିକୁ ଯୁବତୀଙ୍କ ଉପରକୁ ପକାଇଥିଲେ । ବାଇକକୁ ଆଗକୁ ଯିବାକୁ ଦେଇନଥିଲେ । ବାଇକକୁ ରୋକି ପଛକୁ ଭିଡି ରଖିଥିଲେ । ବାଇକର ପଛ ସିଟରେ ବସିଥିବା ଯୁବତୀ ଜଣକ ଯେପର୍ଯ୍ୟନ୍ତ ନ ପଡିଛନ୍ତି, ସେପର୍ଯ୍ୟନ୍ତ ବର୍ଷା ପାଣି ଫୋପାଡିଥିଲେ । ବାଇକ୍କୁ ଟାଣିବା କାରଣରୁ ଭାରସାମ୍ୟ ହରାଇ ଯୁବକ ଓ ଯୁବତୀ ବାଇକରୁ ଖସି ପଡିଥିଲେ । ଏହି ସମୟରେ ଉକ୍ତ ଯୁବତୀଙ୍କୁ ଛୁଇଁବାକୁ ଦଳେ ଯୁବକ ଚେଷ୍ଟା କରିଥିଲେ। ଯାହାର ଭିଡିଓ ଭାଇରଲ ହେବା ପରେ ପୋଲିସ୪ ଜଣଙ୍କୁ ଗିରଫ କରିଛି ।
ତେବେ ଯୁବକ ଗୋଷ୍ଠୀ କେବଳ ଯୁବତୀ ନୁହେଁ ବୃଦ୍ଧ, ବୟସ୍କ ଲୋକଙ୍କୁ ଏମିତି ହଇରାଣ କରିଥିଲେ । ସ୍କୁଟି ନେଇ ଯାଉଥିବା ବୟସ୍କ ବ୍ୟକ୍ତିଙ୍କୁ ଏଭଳି ହଇରାଣ କରିଥିଲେ । ଜଣେ ଯୁବକ ଗାଡିକୁ ଧକ୍କା ଦେବା ପରେ ବୃଦ୍ଧ ଜଣକ ତଳେ ପଡିଯାଇଥିଲେ । କେବଳ ବାଇକ ନୁହେଁ କାର୍ ଚାଳକଙ୍କୁ ମଧ୍ୟ ହଇରାଣ କରିଥିଲେ ଯୁବକ ଗୋଷ୍ଠୀ ।
ଭିଡିଓ ଭାଇରଲ ପରେ କିଛି ଲୋକ ଯୁବକଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏହାପରେ ପୋଲିସ ଦୁର୍ବୃତ୍ତଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ଲକ୍ଷ୍ନୌରେ ପ୍ରବଳ ବର୍ଷା ଯୋଗୁ ଚାରିଆଡେ ପାଣି ଭରିଯାଇଥିଲା । ଉତ୍ତରପ୍ରଦେଶ ବିଧାନସଭାରେ ପାଣି ପଶିଯାଇଥିବା ଖବର ମିଳିଛି ।