ରାଜସ୍ଥାନ : ଜାଣିଶୁଣି ଟ୍ରେନକୁ ଲାଇନଚ୍ୟୁତ କରିବାକୁ ଉଦ୍ୟମ, ଟ୍ରାକରେ ରଖାଯାଇଥିଲା ୭୦ କେଜି ଓଜନର ସିମେଣ୍ଟ ବ୍ଲକ

କାନପୁର ପରେ ଆଜମେରରେ ଟ୍ରେନକୁ ଲାଇନଚ୍ୟୁତ କରିବାକୁ ଇଦ୍ୟମ । ଏକ ମାଲବାହୀ ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ ଟ୍ରାକରେ ରଖାଯାଇଥିଲା ୭୦ କେଜି ଓଜନର ସିମେଣ୍ଟ ଖଣ୍ଡ । ମାଲବାହୀ ଟ୍ରେନଟି ସିମେଣ୍ଟ ଖଣ୍ଡକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିବା ବେଳେ ତାହା ଲାଇନ୍‌ଚ୍ୟୁତ ହୋଇ ନ ଥିଲା । ଏହି ମାମଲାକୁ ନେଇ ପୋଲିସ ଥାନାରେ ରିପୋର୍ଟ ଦାୟର କରାଯାଇଛି । ତେବେ କାନପୁର ପରେ ରାଜସ୍ଥାନ ଆଜମେରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଗତ ରାତିରେ ଆଜମେରର ସରାଧନା ଓ ବାଁଗଡ଼ ଗ୍ରାମ ରେଲୱେ ଟ୍ରାକ୍ ମଝିରେ ୭୦ କେଜି ଓଜନର ସିମେଣ୍ଟ ଖଣ୍ଡ ରଖାଯାଇଥିଲା । ମାଲଗାଡ଼ିଟି ପୁଲେରାରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିଲା । ଟ୍ରେନ ସିମେଣ୍ଟ ଖଣ୍ଡକୁ ଧକ୍କା ଦେଇ ଆଗକୁ ବଢିଥିଲା ହେଲେ ଲାଇନଚ୍ୟୁତ ହୋଇନଥିଲା । ଏ ନେଇ ମାଙ୍ଗଲିୟାବାସ ଥାନାରେ ଆରପିଏଫ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଟ୍ରେନକୁ ଜାଣିଶୁଣି ଲାଇନଚ୍ୟୁତ କରିବାକୁ ଚେଷ୍ଟା କରାଯାଉଛି ବୋଲି ଅନୁମାନ କରାଯାଉଛି ।

ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ଟ୍ରାକ୍‌ରେ ବଡ଼ବଡ଼ ସିମେଣ୍ଟ ଖଣ୍ଡ ଚୁରମାର ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲା । ତୁରନ୍ତ ଉକ୍ତ ଦୁଇ ଲାଇନରେ ରେଳ ଚଳାଚଳ ବନ୍ଦ କରି ସିମେଣ୍ଟ ଖଣ୍ଡଗୁଡ଼ିକୁ ବାହାର କରାଯାଇଥିଲା । ଏହାପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ସୂଚନାଯୋଗ୍ୟ, ଗତ ରବିବାର ରାତିରେ ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ କାନପୁରର ଶିବରାଜପୁର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ରେଳ ଧାରଣା ଉପରେ ରଖାଯାଇଥିବା ଏକ ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଇଥିଲା । ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କାନପୁର ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା । ଲୋକୋ ପାଇଲଟ୍‌ଙ୍କ ସୂଚନା ପରେ ଆର୍‌ପିଏଫ୍‌ ଇନ୍ସପେକ୍ଟର ଯାଞ୍ଚ ପାଇଁ ପହଞ୍ଚିଥିଲେ । ଟିମ୍‌ ଯାଞ୍ଚ କରିବା ପରେ ପାଖାପାଖି ୨୦୦ ମିଟର ଦୂରରୁ ସିଲିଣ୍ଡର ଜବତ କରିଥିଲା । ଟ୍ରେନ୍‌ ଧକ୍କା ଦେଇଥିବା ସିଲିଣ୍ଡରରେ ଗ୍ୟାସ୍‌ ଭର୍ତ୍ତି ଥିଲା । ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ଆର୍‌ପିଏଫ୍‌ ଏକ ମାମଲା ପଞ୍ଜିକୃତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like