ୱାକଫ ବୋର୍ଡରେ ଦୁର୍ନୀତି: ୧୪ ଦିନିଆ ନ୍ୟାୟିକ ହେପାଜତରେ ଗଲେ ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନ

ଦିଲ୍ଲୀର ଏକ କୋର୍ଟ ଆମ୍ ଆଦମୀ ପାର୍ଟି (ଏଏପି)ର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ସୋମବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ସେ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ । ଏହାପୂର୍ବରୁ ଇଡି ଅର୍ଥ ହେରଫେର ସମ୍ଵନ୍ଧିତ ଦୁର୍ନୀତି ମାମଲାରେ ଅମାନତୁଲ୍ଲାହଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲା ।

ରାଉସ୍‌ ଆଭେନ୍ୟୁ କୋର୍ଟଙ୍କ ସ୍ୱତନ୍ତ୍ର ଜଜ୍‌ ରାକେଶ ସ୍ୟାଲ୍‌ ଅମାନତୁଲ୍ଲାହଙ୍କୁ ନ୍ୟାୟିକ ହେପାଜତରେ ପଠାଇବାକୁ ନିଷ୍ପତ୍ତି ଶୁଣାଇଛନ୍ତି । ଏହାପୂର୍ବରୁ ତଦନ୍ତକାରୀ ସଂସ୍ଥା ୱାକଫ ବୋର୍ଡରେ ଦୁର୍ନୀତି ଅଭିଯୋଗରେ ଏଏପି ନେତା ଅମାନତୁଲ୍ଲାହଙ୍କୁ ସେପ୍ଟେମ୍ବର ୨ରେ ଗିରଫ କରିଥିଲା । ୫ ଘଣ୍ଟାର ଜେରା ପରେ ବାଟଲା ହାଉସରୁ ତାଙ୍କୁ ଗିରଫ କରିଥିଲା ଇଡି ।

ଦିଲ୍ଲୀର ଓଖଲା ବିଧାନସଭା ଆସନରୁ ଅମାନତୁଲ୍ଲାହ ଖାନ୍ ନିର୍ବାଚିତ ହୋଇଛନ୍ତି । ଦିଲ୍ଲୀ ଓ୍ୱାକଫ ବୋର୍ଡର ଚେୟାରମ୍ୟାନ ଥିବାବେଳେ ପଦର ଦୁରୂପଯୋଗ କରି ନିଜ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେଇଥିଲେ । ଏହି ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ଇଡି ତାଙ୍କ ଘରେ ପହଞ୍ଚି ପଚରାଉଚରା କରୁଥିଲା । ପଚରାଉଚରା ବେଳେ ଇଡି ସହିତ ଯୁକ୍ତିତର୍କ କରିଥିଲେ ଅମାନତୁଲ୍ଲାହ । ତେଣୁ ପଚରାଉଚରା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା । ଗିରଫ ହେବା ପରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ଆପ୍‌ ବିଧାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like