ଏବେ ୯ ଘଣ୍ଟାର ଯାତ୍ରା ମାତ୍ର ୩୬ ମିନିଟରେ ହେବ ପୂରଣ, କେଦାରନାଥ ଧାମ ରୋପ ୱେ ପ୍ରୋଜେକ୍ଟକୁ ମିଳିଲା ମଞ୍ଜୁରୀ

କେନ୍ଦ୍ର କ୍ୟାବିନେଟ ବୈଠକରେ ଉତ୍ତରାଖଣ୍ଡକୁ ବଡ଼ ଉପହାର ମିଳିଛି । ମୋଦି ସରକାର ଉତ୍ତରାଖଣ୍ଡ କେଦାରନାଥ ଧାମ ପାଇଁ ରୋପ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ଦେଇଛନ୍ତି । ଖବୁଶୀଘ୍ର କେଦାରନାଥକୁ ରୋପ ୱେ ମାଧ୍ୟମରେ ଯାଇପାରିବେ ଶ୍ରଦ୍ଧାଳୁ । ଏହାଛଡା ହେମକୁଣ୍ଡ ରୋପ ୱେ ପ୍ରୋଜେକ୍ଟ ନିର୍ମାଣକୁ ମଞ୍ଜୁରୀ ମଧ୍ୟ ମିଳିଛି ।

ସୋନପ୍ରୟାଗ ଠାରୁ କେଦାରନାଥ ପର୍ଯ୍ୟନ୍ତ ୧୨.୯ କିମି ରୋପୱେ ନିର୍ମାଣ ହେବ । ଏଥିପାଇଁ ୪୦୮୧ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାକୁ ନ୍ୟାସନାଲ ଲଜିଷ୍ଟିକ ମ୍ୟାନେଜମେଣ୍ଟ ନିର୍ମାଣ କରିବ । ରୋପୱେ ନିର୍ମାଣ ଦ୍ବାରା କେଦାରନାଥକୁ ଯାତ୍ରା ମାତ୍ର ୮/୯ ଘଣ୍ଟାରୁ କମି ମାତ୍ର ୩୬ ମିନିଟରେ କରିହେବ । ଏହି ରୋପ ୱେରେ ୩୬ ଜଣ ବସିବାର କ୍ଷମତା ରହିବ ।

କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ନେବା ଯୋଗୁଁ ଚାରିଧାମ ଯାତ୍ରାକୁ ଗୁରୁତ୍ବ ମିଳିବ । ଏହାଦ୍ବାରା ସ୍ଥାନୀୟ ବ୍ୟବସାୟୀଙ୍କୁ ଲାଭ ମିଳିବ । ଆର୍ଥିକ ଅଭିବୃଦ୍ଧି ମିଳିବ । ଏହାଦ୍ବାରା ପୁରା ୬ ମାସ ଯାଏଁ ତୀର୍ଥଯାତ୍ରୀଙ୍କ ଯିବାଆସିବା ଲାଗି ରହିବ । ଚାରିଧାମ ସିଜନରେ ରୋଜଗାରକୁ ଅଭିବୃଦ୍ଧି ମିଳିବ ।

କେଦାରନାଥ ରୋପୱେ ପରିଯୋଜନା ଉତ୍ତରାଖଣ୍ଡ ରୋପୱେ ଅଧିନିୟମ, ୨୦୧୪ ଅଧିନରେ ସଂଚାଳିତ ହେବ । ଏହାର ଲାଇସେନ୍ସ,ସୁରକ୍ଷା, ଭଡ଼ା ଇତ୍ୟାଦି ଉତ୍ତରାଖଣ୍ଡ ରୋପୱେ ଅଧିନିୟମରେ ରହିବ । ସେହିପରି ଦ୍ବିତୀୟ ପ୍ରୋଜେକ୍ଟ ହେମକୁଣ୍ଡ ସାହିବ ରୋପୱେ ପ୍ରୋଜେକ୍ଟ ନିର୍ମାଣ ହେବ । ଏଥିପାଇଁ ୨୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ସୂଚନାଯୋଗ୍ୟ,  ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ । ହରିଦ୍ୱାର ଓ ଋଷିକେଶରେ ୨୦-୨୦ଟି ଏବଂ ବିକାଶନଗରରେ ୧୫ଟି ଅଫଲାଇନ୍ ପଞ୍ଜିକରଣ କାଉଣ୍ଟର ଖୋଲାଯିବ । ଯାତ୍ରାର ଗୋଟିଏ ମାସ ପୂର୍ବରୁ କୌଣସି ପ୍ରକାରର ଭିଆଇପି ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ । ସମସ୍ତ ଶ୍ରଦ୍ଧାଳୁଙ୍କୁ କେବଳ ସାଧାରଣ ପ୍ରକ୍ରିୟା ମାଧ୍ୟମରେ ହିଁ ଦର୍ଶନ କରିବାକୁ ପଡ଼ିବ ।

Also Read : ହିମସ୍ଖଳନ ପରେ ଉତ୍ତରାଖଣ୍ଡରେ ଭୂସ୍ଖଳନ, ଭୁଶୁଡିଲା ହେମକୁଣ୍ଡ ସାହିବକୁ ଯୋଡୁଥିବା ପୋଲ